ନୂଆଦିଲ୍ଲୀ, ୧୮/୦୯ : ଦିଲ୍ଲୀରେ ଜଣେ ୧୭ ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟାର ଏକ ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି । ପୋଲିସର ସୂଚନା ଅନୁଯାୟୀ, ଯୁବତୀ ଜଣକ ଅଭିଯୁକ୍ତଙ୍କ ସହିତ ଏକ ଟେମ୍ପୋରେ ଯାତ୍ରା କରିଥିଲେ । ଟେମ୍ପୋ ଭିତରେ ମଦ୍ୟପାନ କରିବା ପରେ ତାଙ୍କୁ ଦୁଷ୍କର୍ମ କରିବା ପରେ ମାରଣାସ୍ତ୍ରରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଯୁବତୀଙ୍କ ମୃତଦେହ ଏକ ଖୋଲା ପଡ଼ିଆରୁ ମିଳିଥିବା ଜଣାପଡିଛି । ଏହି ମାମଲାରେ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ତିନି ଜଣ ନାବାଳକ ରହିଛନ୍ତି ।
ପୋଲିସ କହିଛି ଯେ, ସେପ୍ଟେମ୍ବର ୧୩ ତାରିଖରେ କୁଶକ ରୋଡରେ ଜୟପାଲ ରାଣାଙ୍କ ଫାର୍ମ ନିକଟରେ ଝିଅଟିର ମୃତଦେହ ମିଳିଥିଲା । ମୃତଦେହଟି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଡ଼ିଥିଲା । ପୋଲିସର କହିବା ଅନୁଯାୟୀ, ଶରୀରର କିଛି ଅଂଶ ବୁଲା କୁକୁର ଖାଇ ଦେଇଥିଲେ ଏବଂ ତାଙ୍କ ଗୋଟିଏ ହାତ ଶରୀରରୁ ଅଲଗା ହୋଇଯାଇଥିଲା । ଅବସ୍ଥା ଏତେ ଦୟନୀୟ ଥିଲା ଯେ ମୃତଦେହଟି ପୁରୁଷର ନା ମହିଳାଙ୍କର ତାହା ତୁରନ୍ତ ସ୍ପଷ୍ଟ ହୋଇପାରିନଥିଲା । ଝିଅ ଏବଂ ଅଭିଯୁକ୍ତ ପରସ୍ପରକୁ ଜାଣିଥିଲେ । ସେମାନେ ଏକ ଟେମ୍ପୋ ଭିତରେ ଏକାଠି ମଦ୍ୟପାନ କରିଥିଲେ ବୋଲି ଅଭିଯୋଗ ହୋଇଛି । ଯାହା ପରେ ଝିଅଟିକୁ ଦୁଷ୍କର୍ମ କରାଯାଇଥିଲା ଏବଂ ପରେ ହତ୍ୟା କରାଯାଇଥିଲା । ଝିଅର ପରିବାର ଲୋକେ ନିଖୋଜ ଅଭିଯୋଗ କରିନଥିବା ମଧ୍ୟ ପୋଲିସ କହିଛି । ଭାରତୀୟ ଦଣ୍ଡ ସଂହିତା ଓ POCSO ଆଇନର ପ୍ରାସଙ୍ଗିକ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ଅନ୍ୟପଟେ ପୋଲିସର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଏହି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ତିନି ଜଣ ନାବାଳକ ସମେତ ଚାରି ଜଣଙ୍କୁ ଗିରଫ କରାଯାଇଛି । ଏଥିସହ ମାରଣାସ୍ତ୍ର, ଅଭିଯୁକ୍ତମାନେ ପିନ୍ଧିଥିବା ପୋଷାକ ଏବଂ ଟେମ୍ପୋ ମଧ୍ୟ ଜବତ କରିଛି ପୋଲିସ୍ ।