୯ଟି ନୂତନ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ, ୨୭୫୫ ଜଣ ପାଇବେ କର୍ମନିଯୁକ୍ତି

ଭୁବନେଶ୍ବର,୨୯/୪ : ରାଜ୍ୟରେ ୯ଟି ନୂତନ ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା ହେବ। ବିନିଯୋଗ ହେବ ୨୫୭୦କୋଟି ୫୪ଲକ୍ଷ ଟଙ୍କା । ଏହି ସମସ୍ତ ଶିଳ୍ପ ପ୍ରକଳ୍ପରେ ୨୭୫୫ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ବୁଧବାର ମୁଖ୍ୟସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଏକକ ବାତାୟନ କମିଟି ବୈଠକରେ ଏ ସଂକ୍ରାନ୍ତ ୯ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଧାତବ ଓ ଆନୁଷଙ୍ଗିକ କ୍ଷେତ୍ର, ଉତ୍ପାଦନ, ପ୍ଲାଷ୍ଟିକ, ରାସାୟନିକ ଦ୍ରବ୍ୟ ସମ୍ବନ୍ଧୀୟ, ଖାଦ୍ୟ ପ୍ରକ୍ରିୟାକରଣ ପ୍ରଭୃତି କ୍ଷେତ୍ରରେ ଏହି ସବୁ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏଥିରେ କେନ୍ଦୁଝରର ଯୋଡାରେ ୮୮୨ କୋଟି ଟଙ୍କା ପୁଞ୍ଜିବିନିଯୋଗରେ ବାର୍ଷିକ ୧୫ ମେଟ୍ରିକ ଟନର ପ୍ରକଳ୍ପ, ୩ ମେଟ୍ରିକ ଟନର ଲୌହଧାତୁ ଗ୍ରାଇଡିଂ ୟୁନିଟ ଓ ପାଇପଲାଇନ, ୪୫ କୋଟି ବିନିଯୋଗରେ ଖୋର୍ଦ୍ଧାରେ ଦାଢ଼ିକଟା ବ୍ଲେଡ ଉତ୍ପାଦନ କାରଖାନା, ଗଜପତିରେ ମଦ ପ୍ରସ୍ତୁତି କାରଖାନା, ରାୟଗଡ଼ାରେ କ୍ଷତିକାରକ ବର୍ଜ୍ୟବସ୍ତୁ ଉପଚାର କାରଖାନା ପ୍ରଭୃତି ରହିଛି।