ଆଇପିଏଲ୍‌ -୨୦୨୧ : ଆଜି ମୁମ୍ବାଇ-ରାଜସ୍ଥାନ ଓ ଦିଲ୍ଲୀ-କୋଲକାତା ମୁହାଁମୁହିଁ

ଦିଲ୍ଲୀ,୨୯ /୪ : ଆଇପିଏଲ୍ ମହାସମରର ଆଜି ମୁମ୍ବାଇ ଇଣ୍ଡିଆନ୍ସ-ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ-କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହେବେ। ଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ମୁମ୍ବାଇ ଇଣ୍ଡିଆନ୍ସ-ରାଜସ୍ଥାନ ରୟାଲ୍ସ ମ୍ୟାଚ୍ ଅପରାହ୍‌ଣ ୩ଟା ୩୦ରୁ ଏବଂ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ଥିବା ଦିଲ୍ଲୀ କ୍ୟାପିଟାଲ୍ସ-କୋଲକାତା ନାଇଟ୍ ରାଇଡର୍ସ ମ୍ୟାଚ୍ ରାତି ୭.୩୦ରୁ ଖେଳାଯିବ। ଉଭୟ ମ୍ୟାଚ୍ ବେଶ୍ ରୋଚକ ତଥା ଉତ୍କଣ୍ଠାପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।

ତେବେ ଗୁରୁବାର ପଡ଼ିଆକୁ ଓହ୍ଲାଇବାକୁ ଥିବା ଚାରିଟି ଦଳ ମଧ୍ୟ‌ରୁ କେବଳ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ଭବତଃ ଚଳିତ ଆଇପିଏଲ୍‌ରେ ଏପର୍ଯ୍ୟନ୍ତ ଦକ୍ଷତା ମୂଳକ ଖେଳ ଖେଳିପାରିଛି। ଅନ୍ୟ ତିନି ଦଳର ଅଭିଯାନ ଏକପ୍ରକାର ଦିଗ ହରାଇ ବସିଛି। ପ୍ରତିଯୋଗିତାର ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମଧ୍ୟକ୍ରମ ବିଫଳତା ମୁଖ୍ୟ ପ୍ରତିବନ୍ଧକ ଭାବେ ଉଭା ହୋଇଛି। ରାଜସ୍ଥାନ ବି କରୋନା ମାଡ଼ ସହ ଆଘାତ ଜନିତ ସମସ୍ୟା ପାଇଁ ଏପର୍ଯ୍ୟନ୍ତ ଆଖିଦୃଶିଆ ସଫଳତା ହାସଲ କରିନି। ବେନ୍ ଷ୍ଟୋକ୍ସ ଯିବା ପରେ ଦଳର ସନ୍ତୁଳନ ବି ଏକପ୍ରକାର ବିଗିଡ଼ି ଯାଇଛି। ଅନ୍ୟପକ୍ଷରେ ଦୁଇ ଥର ବିଜେତା ଦଳ କୋଲକାତା ନାଇଟ୍ ରାଇଡର୍ସ ତାର ପୂର୍ବ ମ୍ୟାଚ୍‌ରେ ଆଧିପତ୍ୟଭରା ବିଜୟ ହାସଲ କରିଥିଲେ ମଧ୍ୟ ଯେତିକି ସଫଳତା ପାଇବା କଥା ସେତିକି ପାଇନି। ଏହି ଦଳ ମଧ୍ୟ ଏକ ସଠିକ୍ ଚୂଡ଼ାନ୍ତ ଦଳ ପାଇବା ଲାଗି ଏବେ ବି ସଂଘର୍ଷ କରୁଛି। ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଓ ସଞ୍ଜୁ ସାମସନଙ୍କ ଅଧିନାୟକତ୍ବରେ ଖେଳୁଥିବା ରାଜସ୍ଥାନ ରୟାଲ୍ସ ୫ଟି ଲେଖାଏଁ ମ୍ୟାଚ୍ ଖେଳି ୨ଟି ଲେଖାଏଁ ବିଜୟ ହାସଲ କରିଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ୬ ମ୍ୟାଚ୍ ଖେଳି ୪ଟି ବିଜୟ ପାଇଥିଲା‌ ବେଳେ କୋଲକାତା ନାଇଟ୍ ରାଇଡର୍ସ ସେହି ୬ ମ୍ୟାଚ୍ ଖେଳି କେବଳ ୨ ମ୍ୟାଚ୍‌ରେ ବିଜୟର ମିଠା ସ୍ବାଦ ଚାଖିଛି। ଏଣୁ ଗୁରୁବାର ଖେଳ ମୁମ୍ବାଇ, ରାଜସ୍ଥାନ ଓ କୋଲକାତା ପାଇଁ ଢେର ଗୁରୁତ୍ବ ବହନ କରିବ।