ବମ୍ବେ, କଲିକତା ଓ ମାଡ୍ରାସ ହାଇକୋର୍ଟର ନାମ ବଦଳିବ

ନୂଆଦିଲ୍ଲୀ,୧୮/୧୧: ବମ୍ବେ, କଲିକତା ଓ ମାଡ୍ରାସ ହାଇକୋର୍ଟର ନାମ ପରିବର୍ତ୍ତନ ହେବ। ଏହି ବିଷୟରେ ସରକାର ସଂସଦରେ ନୂତନ ଭାବେ ବିଧେୟକ ଆଣିବାକୁ ଯାଉଛନ୍ତି। ମାତ୍ର ସଂସଦର ଆଗାମୀ ଶୀତ ଅଧିବେଶନରେ ଏହି ବିଧେୟକ ଆସିବା ସମ୍ଭାବନା ବହୁତ କମ ରହିଛି। ଉଲ୍ଲେଖଯୋଗ୍ୟ ଏହି ସହର ଗୁଡିକର ନାମ ପୂର୍ବରୁ ପରିବର୍ତ୍ତନ କରାଯାଇଛି। ମାତ୍ର ଏବେ ମଧ୍ୟ ରାଜ୍ୟରେ ସ୍ଥିତ ହାଇକୋର୍ଟର ନାମ ସହରର ପୁରୁଣା ନାମ ଆଧାରରେ ଚାଲିଛି।

ଲୋକସଭାରେ ହାଇକୋର୍ଟର ନାମ ପରିବର୍ତ୍ତନ ବିଧେୟକ-୨୦୧୬ ଉପସ୍ଥାପନ କରାଯାଇଥିଲା। ଏଥିରେ କଲକାତା ହାଇକୋର୍ଟକୁ କୋଲକାତା, ମାଦ୍ରାସକୁ ଚେନ୍ନାଇ ଓ ବମ୍ବେ ହାଇକୋର୍ଟର ନାମ ମୁମ୍ବାଇ ହାଇକୋର୍ଟ କରାଯିବାର ପ୍ରସ୍ତାବ ଥିଲା। ମାତ୍ର ତାମିଲନାଡ଼ୁ ସରକାର କେନ୍ଦ୍ର ସରକାରଙ୍କୁ ମାଦ୍ରାସ ହାଇକୋର୍ଟର ନାମ ‘ହାଇକୋର୍ଟ ଅଫ ତାମିଲନାଡୁ’ ରଖିବାକୁ ଅପିଲ କରିଥିଲେ। ଏହି ପରି ପଶ୍ଚିମବଙ୍ଗ ସରକାର ଚାହୁଁଥିଲେ ଯେ କଲକାତା ହାଇକୋର୍ଟର ନାମ ‘କୋଲକାତା ହାଇକୋର୍ଟ’ ରଖାଯାଉ। ମାତ୍ର କଲକାତା ହାଇକୋର୍ଟ ନିଜର ନାମ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ନଥିଲା।