୧ଲକ୍ଷ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ: ୩୦ ସୁଦ୍ଧା ହିତାଧିକାରୀ ଚୟନ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର: ୩ ବର୍ଷ ମଧ୍ୟରେ ରାଜ୍ୟର ଏକ ଲକ୍ଷ ଚାଷୀଙ୍କୁ ଚିହ୍ନଟ କରି ସେମାନଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଚଳିତ ଅପ୍ରେଲ ମାସ ୩୦ ତାରିଖ ସୁଦ୍ଧା ଚାଷୀ ଚିହ୍ନଟ ପ୍ରକ୍ରିୟା ଶେଷ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି । ହିତାଧିକାରୀ ଚୟନ କ୍ଷେତ୍ରରେ ସମ୍ବେଦନଶୀଳ କୃଷକ ପରିବାର ଓ ମହିଳା କୃଷକଙ୍କୁ ଅଗ୍ରାଧିକାର ପ୍ରଦାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଛନ୍ତି ।
ଳବାର କୃଷି ଭବନଠାରେ ଆୟୋଜିତ ବୈଠକରେ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଦିଗରେ ୨୦୨୩-୨୪ ବର୍ଷର କାର୍ଯ୍ୟଖସଡ଼ାର ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଯଥା ସମନ୍ୱିତ କୃଷି, ମିଲେଟ୍ ମିଶନ, ଫସଲର ବିବିଧିକରଣ ସମେତ ମତ୍ସ୍ୟ ଓ ପ୍ରାଣୀପାଳନ ମାଧ୍ୟମରେ କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିହେବ । ଏଥି ସହିତ କୃଷକଙ୍କ ଆୟବୃଦ୍ଧି କରିବା ଦିଗରେ କୃଷିଜାତ ଦ୍ରବ୍ୟକୁ ମୂଲ୍ୟଯୁକ୍ତ କରିବା ଏକ ଉପଯୋଗୀ ପଦକ୍ଷେପ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
ବୈଠକ ପ୍ରାରମ୍ଭରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଦିଗରେ ବିଭାଗ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତି ରଞ୍ଜନ ପ୍ରଧାନ, ମୃତିକା ସଂରକ୍ଷଣ ଓ ଜଳବିଭାଜିକା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ଜିଲ୍ଲାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ଉପନିର୍ଦ୍ଦେଶକ, ଉଦ୍ୟାନ କୃଷି, ପ୍ରକଳ୍ପ ନିର୍ଦ୍ଦେଶକ, ଜଳବିଭାଜିକା, ସିଡିଭିଓ ଓ ଜିଲ୍ଲା ମତ୍ସ୍ୟ ଅଧିକାରୀମାନେ ଯୋଗଦେଇଥିଲେ ।