ଭୁବନେଶ୍ୱର, ୦୯/୧୦ : ଓଡ଼ିଶା ପୋଲିସ ସବ୍-ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ରାଜ୍ୟର ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି। କୋଟି କୋଟି ଟଙ୍କାର ଆର୍ଥିକ କାରବାର ଓ ମନି ଲଣ୍ଡରିଂର ଅଭିଯୋଗକୁ ନେଇ କେନ୍ଦ୍ରୀୟ ଏଜେନ୍ସି ଏହି ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇଛି। ଜେଲ୍ରେ ଥିବା ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଦଲାଲ ମୁନା ମହାନ୍ତିଙ୍କ କଳାପଥର ସ୍ଥିତ ପୈତୃକ ବାସଭବନରେ ଚଢ଼ାଉ ହୋଇଛି। ଏହା ସହିତ ପଞ୍ଚ ସଫ୍ଟ କମ୍ପାନୀର ଶଙ୍କର ପୃଷ୍ଟି ଏବଂ ସିଲିକନ୍ ଟେକ୍ ର ସୁରେଶ ନାୟକଙ୍କ ବାସଭବନ ଓ କାର୍ଯ୍ୟାଳୟ ଉପରେ ମଧ୍ୟ ରେଡ୍ ଚାଲିଛି। ଚଢ଼ାଉ ବେଳେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ କେନ୍ଦ୍ରୀୟ ରିଜର୍ଭ ପୋଲିସ (CRPF) ର ଯବାନମାନଙ୍କୁ ନିୟୋଜିତ କରାଯାଇଛି।
ଏହି କେଳେଙ୍କାରୀ ମାମଲାରେ ସିବିଆଇ ତଦନ୍ତ କରି ଏକାଧିକ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । କୋଟି କୋଟି ଟଙ୍କାର ଆର୍ଥିକ କାରବାର ସାମ୍ନାକୁ ଆସିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି। ୨୦୨୫ ମସିହା ସେପ୍ଟେମ୍ବର ମାସରେ ଗୋଳନ୍ଥରା ପୁଲିସ ଦ୍ୱାରା ୧୧୦ରୁ ଅଧିକ ଆଶାୟୀ ପରୀକ୍ଷାର୍ଥୀ ଓ ଦଲାଲଙ୍କୁ ଗିରଫ କରାଯିବା ପରେ ଏହି ସ୍କାମ୍ ସାମ୍ନାକୁ ଆସିଥିଲା। ଅଭିଯୋଗ ହୋଇଥିଲା ଯେ ପରୀକ୍ଷାର୍ଥୀଙ୍କ ଠାରୁ ୨୦ ରୁ ୨୫ ଲକ୍ଷ ଟଙ୍କା ନେଇ ପ୍ରଶ୍ନପତ୍ର ଲିକ୍ କରାଯାଇଥିଲା, ଯାହାର ସମୁଦାୟ କାରବାର ପ୍ରାୟ ୨୯.୨୫ କୋଟି ଟଙ୍କା ଥିଲା ।