ଭୁବନେଶ୍ୱର, ୦୯/୧୦ : ଭୋଟର ତାଲିକାରେ ନାଁ ଯୋଡ଼ିବାକୁ ଆଜି ସ୍ୱତନ୍ତ୍ର ପଞ୍ଜୀକରଣ ଅଭିଯାନର ଶେଷ ଦିନ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ତିନିଦିନିଆ ସ୍ୱତନ୍ତ୍ର ଅଭିଯାନ ଆଜି ଶେଷ ହେବ । ଯେଉଁ ଯୋଗ୍ୟ ନାଗରିକଙ୍କ ନାଁ ଭୋଟର ତାଲିକାରେ ନାହିଁ, ସେମାନେ ଆଜି ମଧ୍ୟ ନାଁ ଯୋଡ଼ିବା ପାଇଁ ଆବେଦନ କରିପାରିବେ। ନିକଟରେ ହୋଇଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟାରେ ଯେଉଁମାନଙ୍କ ନାଁ ବାଦ୍ ପଡ଼ିଛି କିମ୍ବା ତାଲିକାରେ ସାମିଲ ହୋଇପାରିନାହିଁ, ସେମାନଙ୍କ ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି । ଏଥିପାଇଁ ଯୋଗ୍ୟ ନାଗରିକମାନେ ଫର୍ମ-୬ ପୂରଣ କରି ନିଜ ଅଞ୍ଚଳର ବୁଥ୍ ସ୍ତରୀୟ ଅଧିକାରୀ ବା ବିଏଲ୍ ଓଙ୍କ ନିକଟରେ ଦାଖଲ କରିପାରିବେ ।
ବିଶେଷକରି ନୂଆ ଭୋଟରଙ୍କ ପାଇଁ ଏହା ଏକ ସୁଯୋଗ । ଅକ୍ଟୋବର ୧ ତାରିଖ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଥିବା ଯୁବକଯୁବତୀମାନେ ମଧ୍ୟ ଭୋଟର ତାଲିକାରେ ନାଁ ଯୋଡ଼ିବା ପାଇଁ ଆବେଦନ କରିପାରିବେ । ଆବେଦନ ସହ ବୟସ ଓ ଠିକଣା ସମ୍ପର୍କିତ ଆବଶ୍ୟକ ପ୍ରମାଣପତ୍ର ଦେବାକୁ ପଡ଼ିବ । ଫର୍ମ-୬ ଦାଖଲ ପରେ ସମ୍ପୃକ୍ତ ଅଧିକାରୀ ଆବେଦନର ଯାଞ୍ଚ କରିବେ। ଯୋଗ୍ୟତା ଓ ଆବଶ୍ୟକ ତଥ୍ୟ ଯାଞ୍ଚ ପରେ ଭୋଟର ତାଲିକାରେ ନାଁ ସାମିଲ କରାଯିବ । ତେଣୁ ଆବେଦନ କରିବା ମାତ୍ରେ ନାଁ ତାଲିକାରେ ଯୋଡ଼ି ହୋଇଯିବ ନାହିଁ । ଆଜି ସ୍ୱତନ୍ତ୍ର ଅଭିଯାନର ଶେଷ ଦିନ ହୋଇଥିବାରୁ ଏପର୍ଯ୍ୟନ୍ତ ଆବେଦନ କରିନଥିବା ଯୋଗ୍ୟ ନାଗରିକଙ୍କୁ ଏହି ସୁଯୋଗର ଲାଭ ଉଠାଇବାକୁ କୁହାଯାଇଛି । ତେବେ ଆଜିର ସ୍ୱତନ୍ତ୍ର ଅଭିଯାନ ଶେଷ ହେବା ପରେ ମଧ୍ୟ ନିୟମିତ ପ୍ରକ୍ରିୟାରେ ଭୋଟର ପଞ୍ଜୀକରଣ ପାଇଁ ଆବେଦନ କରାଯାଇପାରିବ ।