ରଥଯାତ୍ରା ପାଇଁ ଅନୁକୂଳ ହେଲା ରଥକାଠ : ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ପୁରୀ : ଅକ୍ଷୟ ତୃତୀୟାରେ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ରଥ ଅନୁକୂଳ।ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ପୂଜାପଣ୍ଡା ସେବାୟତ ରଥଖଳାରେ ପହଞ୍ଚିବା ପରେ ସେଠାରେ ସୁନା କୁରାଢିରେ ରଥନିର୍ମାଣ କାର୍ଯ୍ୟର ଅନୁକୂଳ ହୋଇଥିଲା। ସେହିପରି ଆଜିଠୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଚନ୍ଦନ ଯାତ୍ରା। ୨୧ ଦିନ ଧରି ଚାଲିବାକୁ ଥିବା ଏହି ବାହାର ଚାପରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ପ୍ରତ୍ୟହ ମଧ୍ୟାହ୍ନରେ ଶ୍ରୀମନ୍ଦିରରୁ ବାହାରି ଶୋଭାଯାତ୍ରାରେ ଚନ୍ଦନ ପୁଷ୍କରିଣୀ ଅଭିମୁଖେ ଯିବେ ।

ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ତିନି ବାଡର ପୂଜାପଣ୍ଡା ସେବାୟତ ଶୋଭାଯାତ୍ରାରେ ବାହାରି ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। ଶ୍ରୀମନ୍ଦିର ଶ୍ରୋତୀୟ ବ୍ରାହ୍ମଣ ଓ ରାଜପୁରୋହିତଙ୍କ ଦ୍ବାରା ବନଯାଗ ବିଧିରେ ପୂଜାର୍ଚ୍ଚନା ହୋଇଥିଲା । ବିଶ୍ଵକର୍ମା ମହାରଣାଙ୍କ ଶାଢୀ ବନ୍ଧା ନୀତି ପରେ ସୁନା କୁରାଢିରେ ରଥ ନିର୍ମାଣ କାର୍ଯ୍ୟର‌ ଅନୁକୂଳ କରାଯାଇଛି । ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟ କିଭଳି ସୁରୁଖୁରୁରେ ସମ୍ପାଦନ ହେବ ସେ ନେଇ ସମସ୍ତେ ପ୍ରାର୍ଥନା କରିଥିଲେ।

ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚ ପାଣ୍ଡବଙ୍କୁ ସେବାୟତ ମାନେ ମଣି ବିମାନରେ ଚନ୍ଦନ ପୁଷ୍କରିଣୀ ଅଭିମୁଖେ ନେଇଥିଲେ । ଏହି ଅବସରରେ ଚନ୍ଦନ, ପୁଷ୍ପର ପ୍ରଲେପ ଶ୍ରୀଜୀଉଙ୍କ ଅଙ୍ଗରେ ଲଗାଯିବାର ପରମ୍ପରା ରହିଛି। ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି ।

 

SBI_Festive_Digital Billboard