ଅନ୍ତିମ ଟେଷ୍ଟ ପାଇଁ ୧୩ ଜଣିଆ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ, ୨/୧ : ଆସନ୍ତା କାଲିଠାରୁ ସିଡନୀରେ ହେବାକୁ ଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ପାଇଁ ଟିମ୍‌ ଇଣ୍ଡିଆ ନିଜର ୧୩ ଜଣ ଖେଳାଳିଙ୍କ ନାମ ଘୋଷଣା କରିଛି । ଏହି ୧୩ ଜଣିଆ ଦଳରେ ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କ ନାମ ନଥିବା ବେଳେ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ନାମ ସାମିଲ କରାଯାଇଛି । ତେବେ ଚୂଡ଼ାନ୍ତ ଏକାଦଶରେ ସେ ଖେଳିବେ ନା ନାହିଁ, ସେନେଇ ଆସନ୍ତାକାଲି ସକାଳେ ହିଁ ନିଷ୍ପତ୍ତି ନିଆଯିବ ବୋଲି ବିସିସିଆଇ ପକ୍ଷରୁ ସୂଚନା ମିଳିଛି । ତେବେ ବିସିସିଆଇ ପକ୍ଷରୁ ଆଜି ଘୋଷଣା କରାଯାଇଥିବା ଏହି ୧୩ ଜଣିଆ ଟିମରେ କେ.ଏଲ ରାହୁଲ ଏବଂ କୁଲଦୀପ ୟାଦବଙ୍କୁ ସାମିଲ କରାଯାଇଛି । ରୋହିତ ଶର୍ମା ଏହି ମ୍ୟାଚ ଖେଳିବେ ନାହିଁ ବୋଲି ପୂର୍ବରୁ ପ୍ରକାଶ ଥିଲା । ଗତ ରବିବାର ରୋହିତ ପିତା ହେବାର ସୌଭାଗ୍ୟ ଲାଭ କରିଥିବାରୁ ଭାରତ ଫେରି ଆସିଛନ୍ତି । ରୋହିତଙ୍କ ବଦଳରେ ଟିମରେ କେ.ଏଲ ରାହୁଲଙ୍କୁ ସାମିଲ କରାଯାଇଛି । ସେ ମୟଙ୍କ ଅଗ୍ରୱାଲଙ୍କଙ୍କ ସହ ଓପନିଂ କରିପାରନ୍ତି ବୋଲି କୁହାଯାଉଛି । ତେବେ ମେଲବର୍ଣ୍ଣ ଟେଷ୍ଟରେ ଓପନିଂ କରିଥିବା ହନୁମା ବିହାରୀ ମିଡିଲ ଅର୍ଡରରେ ରୋହିତ ଶର୍ମାଙ୍କ ସ୍ଥାନରେ ପଡିଆକୁ ଓହ୍ଲାଇ ପାରନ୍ତି ।
ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଥିବା ଟିମରେ ଅଛନ୍ତି- ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରାହାଣେ (ଉପ-ଅଧିନାୟକ), ଲୋକେଶ ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଅଶ୍ୱିନ୍‌, ମହମ୍ମଦ ଶାମି, ଯଶପ୍ରୀତ ବୁମ୍‌ରା ଓ ଉମେଶ ଯାଦବ ।