ନୂଆଦିଲ୍ଲୀ, ୧୩/୨: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସପାର ସଂସ୍ଥାପକ ମୁଲାୟମ ସିଂହ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ବୁଧବାର ବହୁତ ବଡ଼ ବୟାନ ଦେଇଛନ୍ତି। ଲୋକସଭାରେ ମୁଲାୟମ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁର୍ନବାର ପ୍ରଧାନମନ୍ତ୍ରୀ ହେବା ଉଚିତ୍। ମୁଁ କାମନା କରୁଛି ଯେ ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ। ଏହି ସମୟରେ ମୁଲାୟମ ମୋଦୀଙ୍କ ଖୁବ୍ ପ୍ରଶଂସା ମଧ୍ୟ କରିଛନ୍ତି।
ସଂସଦ ଅଧିବେଶନର ଶେଷ ଦିନରେ ମୁଲାୟମ କହିଛନ୍ତି ଯେ, ମୁଁ କାମନା କରୁଛି ଯେ ଏଠାରେ ଯେତେ ବି ସଦସ୍ୟ ଅଛନ୍ତି ସମସ୍ତେ ଆଗାମୀ ଲୋକସଭା ନିର୍ବାଚନରେ ବିଜୟୀ ହୁଅନ୍ତୁ। ଏହା ସହିତ ପିଏମ ମୋଦୀଙ୍କ ପ୍ରଶଂସା କରି କହିଛନ୍ତି ଯେ, ମୋଦୀ ପୁର୍ନବାର ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ। ଏଥିପାଇଁ ତାଙ୍କୁ ମୁଁ ଶୁଭକାମନା ଜଣାଉଛି। ମୁଲାୟମଙ୍କ ଏହି ବଡ଼ ବୟାନ ପରେ ପିଏମ ମୋଦୀ ଦୁଇ ହାତ ଯୋଡ଼ି ତାଙ୍କୁ ଧନ୍ୟବାଦ୍ ଦେଇଛନ୍ତି।
ମୁଲାୟମ କହିଛନ୍ତି ଯେ, ଆମେ ପ୍ରଧାନମନ୍ତ୍ରୀଙ୍କୁ ଶୁଭକାମନା ଜଣାଇବାକୁ ଚାହୁଁଛି ଯେ ଆପଣ ସମସ୍ତଙ୍କ ସହିତ ମିଶି କାମ କରିଛନ୍ତି। ଏହା ସତ ଯେ ଆମେ ଯେଉଁ ସମୟରେ ବି କୌଣସି କାମ ପାଇଁ ଆପଣଙ୍କୁ କହିଛୁ, ତୁରନ୍ତ ଆପଣ ସେହି ସମୟରେ ହିଁ ଆଦେଶ ଦେଇଛନ୍ତି। ଏଥିପାଇଁ ଆମେ ଆପଣଙ୍କୁ ସମ୍ମାନ କରୁଛୁ।
ଏହି ଅବସରରେ ଲୋକସଭାରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଉଲ୍ଲେଖଯୋଗ୍ୟ ଗୋଟିଏ ପଟେ ଏସପି ଓ ବିଏସପି ମେଣ୍ଟ କରି ୟୁପିରେ ବିଜେପିର ନିର୍ବାଚନୀ ରଥକୁ ରୋକିବାକୁ ଅଣ୍ଟା ଭିଡିଥିବା ବେଳେ ଅନ୍ୟ ପଟେ ମୁଲାୟମ ମୋଦୀଙ୍କୁ ପୁର୍ନବାର ପ୍ରଧାନମନ୍ତ୍ରୀ ପଦରେ ଦେଖିବାକୁ ଚାହାନ୍ତି। ମୁଲାୟମଙ୍କ ଏହି ବୟାନ ପରେ ବିରୋଧୀ ଦଳଙ୍କୁ ଏକ ପ୍ରକାର ଝଟକା ଲାଗିଛି।