ଦେଶର ପ୍ରଧାନମନ୍ତ୍ରୀ ଉଚ୍ଚ ଶିକ୍ଷିତ ବ୍ୟକ୍ତି ହେବା ଦରକାର : ଅରବିନ୍ଦ କେଜରିୱାଲ

0

ଭୋପାଲ,୧୪/୩: ଦେଶର ପ୍ରଧାନମନ୍ତ୍ରୀ ଉଚ୍ଚ ଶିକ୍ଷିତ ବ୍ୟକ୍ତି ହେବା ଦରକାର। କମ ପଢା ଲେଖା ଲୋକକୁ କେହି ବି ବୋକା ବନାଇ ପାରିବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଆପ୍) ସଂଯୋଜକ ଅରବିନ୍ଦ କେଜରିୱାଲ ମଙ୍ଗଳବାର ଭୋପାଲରେ ଆପ୍ କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ଏହା କହିଛନ୍ତି। ସେ କହିଛନ୍ତି ଯେ, ଯେଉଁଦିନ ମନିଷ ସିସୋଦିଆଙ୍କୁ ଗିରଫ କରାଗଲା ସେଦିନ ମୋ ମନରେ ଏହି ଭାବନା ଆସିଥିଲା।

କେଜରିୱାଲ କାର୍ଯ୍ୟକ୍ରମରେ ଜେଲରେ ବନ୍ଦୀ ମନିଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କର ଉଚ୍ଚ ପ୍ରଶଂସା କରିଥିଲେ। ସେ ସତ୍ୟେନ୍ଦ୍ର ଜୈନଙ୍କୁ ଇଣ୍ଟେଲିଜେଣ୍ଟ ବ୍ୟକ୍ତି ବୋଲି କହିଥିବା ବେଳେ ଜୈନ ହିଁ ଦିଲ୍ଲୀକୁ ମାଗଣାରେ କିପରି ବିଜୁଳି ଯୋଗାଇ ହେବ ତାର ହିସାବ କିତାବ ବତାଇଥିଲେ ବୋଲି କହିଥିଲେ। ସତ୍ୟେନ୍ଦ୍ର ଜୈନ ଦିଲ୍ଲୀ ବାସୀଙ୍କୁ ମାଗଣାରେ ଉଚ୍ଚମାନର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା କରିଥିବା ବେଳେ ସିସୋଦିଆ ସରକାରୀ ବିଦ୍ୟାଳୟମାନଙ୍କର ଚିତ୍ର ବଦଳେଇ ଦେଇଛନ୍ତି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି।

ହେଲେ ଏପରି ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଜେଲରେ ବନ୍ଦୀ କରି ରଖିଛନ୍ତି ବୋଲି ସେ କହିଛନ୍ତି। କେଜରିୱାଲ କହିଛନ୍ତି ଯେ ଯଦି ଦେଶର ପ୍ରଧାନମନ୍ତ୍ରୀ ପାଠ ପଢିଥାନ୍ତେ ତେବେ ତାଙ୍କୁ ଶିକ୍ଷାର ମହତ୍ୱ ଜଣାଥାନ୍ତା। ସେହିପରି ଦେଶର ପ୍ରଧାନମନ୍ତ୍ରୀ ଯଦି ଦେଶଭକ୍ତ ହୋଇଥାନ୍ତେ ସେ ଭାବିନଥାନ୍ତେ ସିସୋଦିଆ ଆପ୍‌ କି ଅନ୍ୟ କୌଣସି ରାଜନୈତିକ ଦଳର । ସେ ସିସୋଦିଆଙ୍କ ଭଳି ବ୍ୟକ୍ତିତ୍ୱଙ୍କୁ ଦେଶର ଶିକ୍ଷାମନ୍ତ୍ରୀ କରିଦେଇଥାନ୍ତେ ଓ କହିଥାନ୍ତେ ତୁମେ ଦେଶର ୧୦ ଲକ୍ଷ ସ୍କୁଲକୁ ଠିକ୍ କରିଦିଅ। ହେଲେ ତାଙ୍କୁ ଜେଲକୁ ପଠେଇ ଦେଲେ।

ଏଣୁ ମୋତେ ଲାଗିଲା ଉଚ୍ଚ ଶିକ୍ଷିତ ବ୍ୟକ୍ତିହିଁ ଦେଶର ପ୍ରଧାନମନ୍ତ୍ରୀ ହେବା ଦରକାର। କେଜରିୱାଲ ନୋଟବନ୍ଦୀ ଓ କରୋନାରେ ଥାଳି ବଜେଇବାର କଥା ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ଯଦି କମ୍ ପଢୁଆ ଲୋକ ପ୍ରଧାନମନ୍ତ୍ରୀ ହୁଏ ତାକୁ ଯେ କେହିବି ବୋକା ବନେଇ ପାରିବ। ଏହିକ୍ରମରେ କେହି କହିଦେଲା ସାର ଆପଣ ନୋଟ ବନ୍ଦୀ କରି ଦିଅନ୍ତୁ ଦେଶରୁ ଦୁର୍ନୀତି ହଟିଯିବ । ପ୍ରଧାନମନ୍ତ୍ରୀ ସେହି କଥାକୁ କାମରେ ଲଗାଇ ଦେଲେ । ଦେଶରୁ ଦୁର୍ନୀତି କି ଆତଙ୍କବାଦ ତ ହଟିଲାନି ଯେଉଁ ଅବସ୍ଥା ହେଲା ସମସ୍ତେ ଭୋଗିଲେ।

ସେହିପରି କେହି ଜଣେ କହିଦେଲା ଦେଶରେ ସମସ୍ତଙ୍କ ଦ୍ୱାରା ଥାଳି ବଜାଅ କରୋନା ସମାପ୍ତ ହୋଇଯିବ। ପ୍ରଧାନମନ୍ତ୍ରୀ ମଧ୍ୟ ସେଇଆ କଲେ ଓ ଦେଶ ଥାଳି ବଜେଇଲା। ହେଲେ ଦେଶରେ କରୋନା ସମାପ୍ତ ହୋଇଗଲା କି ବୋଲି କେଜରିୱାଲ ପ୍ରଶ୍ନ କରିଛନ୍ତି। ଏହି ଅବସରରେ କେଜରିୱାଲ ରାଜ୍ୟରେ ବିଧାନସଭା ନିର୍ବାଚନ ବିଗୁଲ ଫୁଙ୍କିଛନ୍ତି। ଆପ୍‌କୁ ବିଜେପି ଓ କଂଗ୍ରେସର ବିକଳ୍ପ ବୋଲି କହିଥିବା ବେଳେ ଗୋଟିଏ ଥର ସୁଯୋଗ ଦେବାକୁ ଜନତାଙ୍କୁ ନିବେଦନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ।

SBI AD
Leave A Reply

Your email address will not be published.