ପୁଣି ଦାନା ବାନ୍ଧୁଛି ଲଘୁଚାପ : ଆସନ୍ତାକାଲି ଆଣ୍ଡାମାନ ସାଗରରେ ପହଞ୍ଚିବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର, ୧୦/୧୦ : ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଲଘୁଚାପ। ଆସନ୍ତା ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଥାଇଲ୍ୟାଣ୍ଡ ଉପସାଗର ଅଞ୍ଚଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ଲଘୁଚାପ ସୃଷ୍ଟି ହୋଇପାରେ। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ପାଣିପାଗ ଉପରେ ନଜର ରହିଛି। ଥାଇଲ୍ୟାଣ୍ଡ ଉପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଘୂର୍ଣ୍ଣିବଳୟଟି କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି। ଆସନ୍ତାକାଲି ଏହା ଆଣ୍ଡାମାନ ସାଗରରେ ପ୍ରବେଶ କରିବ। ସେଠାରେ ଅନୁକୂଳ ସାମୁଦ୍ରିକ ପରିବେଶ ମିଳିଲେ ଏହା ଅଧିକ ଘନୀଭୂତ ହୋଇ ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି କରିପାରେ।

ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆଣ୍ଡାମାନ ସାଗର ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପବନର ବେଗ ବଢ଼ିବା ସହ ସମୁଦ୍ର ଅଶାନ୍ତ ହେବାର ଆଶଙ୍କା ରହିଛି। ତେବେ ଲଘୁଚାପ ସୃଷ୍ଟି ହେବା ପରେ ଏହାର ତୀବ୍ରତା କେତେ ରହିବ ଏବଂ କେଉଁ ଦିଗକୁ ଗତି କରିବ, ତାହା ଏବେଠାରୁ ସ୍ପଷ୍ଟ ହୋଇନାହିଁ। ପାଣିପାଗ ବିଜ୍ଞାନୀମାନେ ଏହାର ଗତିବିଧି ଉପରେ ନଜର ରଖିଛନ୍ତି। ଲଘୁଚାପର ପରବର୍ତ୍ତୀ ସ୍ଥିତି ଏବଂ ଓଡ଼ିଶାର ପାଣିପାଗ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ଆଗାମୀ ପୂର୍ବାନୁମାନରୁ ଅଧିକ ସ୍ପଷ୍ଟତା ମିଳିବ। ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ ରହିଥିଲେ ମଧ୍ୟ ଏହା ବାତ୍ୟାର ରୂପ ନେବ ବୋଲି ବର୍ତ୍ତମାନ କୌଣସି ନିଶ୍ଚିତ ସୂଚନା ନାହିଁ। ପରବର୍ତ୍ତୀ ପାଣିପାଗ ବୁଲେଟିନ୍ ଉପରେ ନଜର ରଖିବା ଜରୁରୀ।