ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭାବବିନିମୟ କଲେ କିଟ୍ ଛାତ୍ର

ଭୁବନେଶ୍ୱର, ୧୦/୧୦ : ଚୀନର ସାଂଘାଇ ଠାରେ ଅନୁଷ୍ଠିତ ବିଶ୍ୱସ୍ତରୀୟ ‘ୱାର୍ଲ୍ଡ ସ୍କିଲ୍ସ ପ୍ରତିଯୋଗିତା ୨୦୨୬’ରେ ଭାଗ ନେଇଥିବା ଭାରତୀୟ ପ୍ରତିଯୋଗୀ ଓ ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାବବିନିମୟ କରିଛନ୍ତି। ଏହି ଅବସରରେ କିଟ୍ ବିଶ୍ୱବିଦ୍ୟାଳୟର ପ୍ରତିଭାବାନ ଛାତ୍ର ପ୍ରିୟାଂଶୁ ଦେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସିଧାସଳଖ ଆଲୋଚନା କରି ନିଜର ଅନୁଭୂତି ବାଣ୍ଟିଛନ୍ତି।

ପ୍ରଧାନମନ୍ତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଦେଶର ଯୁବ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ସହ ଦକ୍ଷତା ବିକାଶ କ୍ଷେତ୍ରରେ ସେମାନଙ୍କ ଅବଦାନକୁ ପ୍ରଶଂସା କରିଥିଲେ। ୱେବ୍ ଟେକ୍ନୋଲୋଜି ବିଭାଗରେ ଭାରତ ତଥା ଓଡ଼ିଶାର ପ୍ରତିନିଧିତ୍ୱ କରିଥିବା ପ୍ରିୟାଂଶୁ ଦେ, ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଯୋଗିତାରେ ବୈଷୟିକ ଚ୍ୟାଲେଞ୍ଜ, ପ୍ରସ୍ତୁତି ଏବଂ ନୂତନ ଜ୍ଞାନକୌଶଳ ସମ୍ପର୍କରେ ଅବଗତ କରାଇଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ପ୍ରିୟାଂଶୁଙ୍କ ଉଦ୍ୟମ ଓ ବୈଷୟିକ ଦକ୍ଷତାକୁ ଭୂୟସୀ ପ୍ରଶଂସା କରିବା ସହ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ। ପ୍ରିୟାଂଶୁ ଦେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ କିଟ୍ ଓ କିସ୍ ରେ ଖୁସିର ଲହରୀ ଖେଳିଯାଇଛି। ଏହି ସଫଳତା ପାଇଁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ପ୍ରିୟାଂଶୁଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।