ଭୁବନେଶ୍ୱର, ୧୦/୧୦ : କିଟରେ ମେଡିକାଲ୍ ଛାତ୍ରଛାତ୍ରୀଙ୍କ ଉତ୍ସବ ‘Karte Blanche 15.0’ ଓ KIMS FEST 2026-27 ଆୟୋଜିତ ହୋଇଛି। ଏହି ଅବସରରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତର ଆହ୍ୱାନ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି କିଟର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ। ବିଶେଷକରି କୃତ୍ରିମ ବୁଦ୍ଧିମତ୍ତା ବା AI ର ବଢ଼ୁଥିବା ପ୍ରଭାବ ଆଗାମୀ ଦିନରେ ଶିକ୍ଷା ଓ ବିଭିନ୍ନ ବୃତ୍ତିଗତ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବ ବୋଲି ସେ କହିଛନ୍ତି ।
ତେଣୁ ଛାତ୍ରଛାତ୍ରୀମାନେ AIକୁ କେବଳ ଏକ ଉପକରଣ ଭାବେ ନୁହେଁ, ବରଂ ନିଜର ଜ୍ଞାନ ଓ ଦକ୍ଷତା ବୃଦ୍ଧିର ମାଧ୍ୟମ ଭାବେ ବ୍ୟବହାର କରିବା ଉଚିତ। ଏଥିସହ ନିଜର ବିବେକ ଓ ଚିନ୍ତାଶକ୍ତିକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଛନ୍ତି। କିଟ୍ ର School of Medicine ପକ୍ଷରୁ ଆୟୋଜିତ ‘Karte Blanche 15.0’ ମେଡିକାଲ୍ ଛାତ୍ରଛାତ୍ରୀଙ୍କ କଳା, ସଂସ୍କୃତି ଓ ସୃଜନଶୀଳତାର ପ୍ରଦର୍ଶନ ପାଇଁ ଏକ ମଞ୍ଚ ପାଲଟିଛି। ପାଠପଢ଼ା ସହ ଛାତ୍ରଛାତ୍ରୀଙ୍କ ବହୁମୁଖୀ ପ୍ରତିଭାର ବିକାଶ ଏବଂ ଲୁକ୍କାୟିତ ଦକ୍ଷତାକୁ ପ୍ରୋତ୍ସାହନ ଦେବା ଏଭଳି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ।
ସେହିପରି KIMS ପକ୍ଷରୁ ଆୟୋଜିତ KIMS Fest 2026-27ରେ ମେଡିକାଲ୍, ଡେଣ୍ଟାଲ୍, ନର୍ସିଂ, ଫିଜିଓଥେରାପି ଓ ଫାର୍ମାସି ସମେତ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି। ୨୦୨୬-୨୭ ଶିକ୍ଷାବର୍ଷରେ KIMSର ଏହା ପ୍ରଥମ ବାର୍ଷିକ ଉତ୍ସବ ବୋଲି ଡ. ସାମନ୍ତ କହିଛନ୍ତି। ଶିକ୍ଷା ସହ ସୃଜନଶୀଳତା ଓ ଆଧୁନିକ ଜ୍ଞାନକୌଶଳର ସମନ୍ୱୟ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ପାଇଁ ଅଧିକ ଦକ୍ଷ କରିବ ବୋଲି ଆଶା କରାଯାଉଛି। ଏହି ଅବସର ରେ କିଟ୍ କୁଳପତି ସରନଜିତ୍ ସିଂ, ରେଜିଷ୍ଟର ଜ୍ଞାନ ରଂଜନ ଦାସ , କିମ୍ସ ପ୍ରିନସପାଲ୍ ଆର୍ ସି ଦାସ ଙ୍କ ସମେତ ଅନେକ ବ୍ୟକ୍ତି ଉପସ୍ଥିତ ଥିଲେ ।