ନୂଆଦିଲ୍ଲୀ, ୨୭/୦୪ : ଆଜି ସରୁଛି ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର । ଆସନ୍ତା ବୁଧବାର ପଡ଼ିବ ଅନ୍ତିମ ପର୍ଯ୍ୟାୟ ଭୋଟ୍ । ଇଭିଏମ୍ ମେସିନରେ ସିଲ୍ ହୋଇଯିବ ନେତାଙ୍କ ଭାଗ୍ୟ । ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ୮ଟି ଜିଲ୍ଲାର ୧୪୨ଟି ବିଧାନସଭା ଆସନ ପାଇଁ ମତଦାନ ହେବ । ଉତ୍ତର କୋଲକାତା, ଦକ୍ଷିଣ କୋଲକାତା, ହାୱଡ଼ା, ନଦିଆ, ଉତ୍ତର-୨୪ ପରଗନା, ଦକ୍ଷିଣ ୨୪ ପରଗନା, ହୁଗୁଳି ଏବଂ ପୂର୍ବ ବର୍ଦ୍ଧମାନ । ପ୍ରଚାର ଶେଷ ଦିନରେ ସକାଳୁ ସକାଳୁ କମ୍ପୁଛି ମଇଦାନ । ତିନୋଟି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ତୃଣମୂଳ କଂଗ୍ରେସ ପ୍ରାଣ ମୂର୍ଚ୍ଛା ପ୍ରଚାର କରୁଛନ୍ତି । ସନ୍ଧ୍ୟା ୭ଟା ପରେ ସବୁକିଛି ଶାନ୍ତ ପଡ଼ିଯିବ । ସମସ୍ତ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର କୋଲକାତା ବିଶାଳ ଶୋଭାଯାତ୍ରା କରିଛନ୍ତି । ଆଜି ଜଗତଦଲ ଜିଲେପି ମଠ ଠାରେ ଏକ ବିଶାଳ ଜନସଭାକୁ ମୋଦୀ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଦୁଇଟି ରୋଡ୍ ଶୋ କରିବେ । ବେହଳା ଥାନାରୁ ମନ୍ତନ ଏବଂ ହୁଗୁଳିର ଚନ୍ଦନନଗରରେ ଦୁଇଟି ରୋଡ୍ ହେବ ।
ସେପଟେ ତୃଣମୂଳ କଂଗ୍ରେସ ମୁଖିଆ ମମତା ବାନାର୍ଜୀ ପାଦରେ ଚାଲି ଚାଲି ଶୋଭାଯାତ୍ରା କରିବେ । ସୁକାନ୍ତ ସେତୁରୁ ପଦଯାତ୍ରା ଆରମ୍ଭ ହେବ । ଏହା ପରେ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ଭବାନୀପୁରରେ ଏକ ସାଧାରଣ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଟିଏମସିର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ମଧ୍ୟରେ ଏକାଧିକ ସଭା ଏବଂ ଶୋଭାଯାତ୍ରା କରିବାର ସୂଚନା ରହିଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପଶ୍ଚିମବଙ୍ଗରେ ମୋଟ ୯୩.୧୯ ପ୍ରତିଶତ ରେକର୍ଡ ସଂଖ୍ୟକ ମତଦାନ ହୋଇଛି । ତେଣୁ ଶେଷ ପର୍ୟ୍ୟାୟରେ ମଧ୍ୟ ବମ୍ପର ମତଦାନ ହେବ ବୋଲି ଆଶା ରଖାଯାଇଛି ।