ଭୁବନେଶ୍ବର, ୨୭/୦୪ : ରାଜ୍ୟସଭା ନିର୍ବାଚନରେ କ୍ରସ୍ଭୋଟିଂ ଏବଂ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ନିଲମ୍ବିତ ୮ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଦାବି କରିବ ବିଜେଡି। ସୋମବାର ବିଜେଡି ବିଧାୟକମାନେ ବିଧାନସଭାରେ ବାଚସ୍ପତିଙ୍କୁ ଭେଟି ୮ ନିଲମ୍ବିତ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିବାକୁ ଦାବି କରିବେ ବୋଲି ସୂଚନା ମିଳିଛି। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଗତ ଜାନୁଆରୀ ୧୫ରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଏବଂ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରିଥିଲେ। ରାଜ୍ୟସଭା ନିର୍ବାଚନରେ ଦଳୀୟ ନିଷ୍ପତ୍ତିର ଅବମାନନା ଏବଂ କ୍ରସ୍ଭୋଟିଂ କରିବା ଅଭିଯୋଗରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ, ବସ୍ତା ବିଧାୟିକା ସୁବାସିନୀ ଜେନା, ତିର୍ତ୍ତାଲ ବିଧାୟକ ରମାକାନ୍ତ ଭୋଇ, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଏବଂ ଜୟଦେବ ବିଧାୟକ ନବକିଶୋର ମଲ୍ଲିକଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି। ସୋମବାର ଦିନ ୧୧ଟାରେ ବିଜେଡି ବିଧାୟକମାନେ ଶଙ୍ଖ ଭବନରେ ଏକାଠି ହେବେ। ୧୧ଟା ୩୦ରେ ଶଙ୍ଖ ଭବନରୁ ବିଧାନସଭା ଅଭିମୁଖେ ବାହାରିବେ। ମଧ୍ୟାହ୍ନ ୧୨ଟାରେ ବିଧାନସଭାରେ ବିଜେଡି ବିଧାୟକମାନେ ବାଚସ୍ପତିଙ୍କୁ ଭେଟିବା କାର୍ଯ୍ୟକ୍ରମ ଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି।