ଭୁବନେଶ୍ବର, ୨୭/୦୪ : ତାତିରୁ ମିଳିବ ଆଶ୍ୱସ୍ତି । ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ଓଡ଼ିଶା ଆକାଶରେ ଏକ ‘ଟ୍ରପ୍ ଲାଇନ୍’ ସକ୍ରିୟ ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୮ ଏପ୍ରିଲ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ଅଧିକ ରହିବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞନ କେନ୍ଦ୍ର । ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି । ଏଥିସହ ପ୍ରବଳ ବିଜୁଳି ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ ବଜ୍ରପାତର ଭୟ ଅଧିକ ରହିଛି । ଗତ କିଛି ଦିନ ଧରି ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ, ବର୍ଷା ଯୋଗୁଁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ । ପଶ୍ଚିମ ଓଡ଼ିଶାରେ ତାତି ଜାରି ରହିଲେ ମଧ୍ୟ ସନ୍ଧ୍ୟା ବେଳକୁ ପାଣିପାଗ କୋହଲା ରହିବ। ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ଯିବାକୁ ବାରଣ କରାଯାଇଛି ।