ନୂଆଦିଲ୍ଲୀ, ୨୦/୦୮ : ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ କୁ ନେଇ କଂଗ୍ରେସ ନିଜର ଆଭିମୁଖ୍ୟ ପୁଣି ଥରେ ସ୍ପଷ୍ଟ କରିଛି। ଦଳର ସାଧାରଣ ସମ୍ପାଦକ କେ. ସି. ଭେଣୁଗୋପାଳ ପ୍ରକାଶ କରିଛନ୍ତି ଯେ, ‘ବନ୍ଦେ ମାତରମ୍’ର ପ୍ରଥମ ଦୁଇଟି ପଦ ବା ଛନ୍ଦ ଗାନ କରିବା ନେଇ ୧୯୩୭ ମସିହାରେ ସିଡବ୍ଲୁସି ଯେଉଁ ଐତିହାସିକ ନିଷ୍ପତ୍ତି ନେଇଥିଲା, କଂଗ୍ରେସ ଆଜି ବି ସେହି ନୀତିରେ କାଏମ୍ ରହିଛି।
ଭେଣୁଗୋପାଳ ସ୍ପଷ୍ଟ କରିଛନ୍ତି ଯେ, ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ଏହି କାଳଜୟୀ ଗୀତର ପ୍ରଥମ ଦୁଇଟି ପଦରେ ସ୍ୱାଧୀନତା ସଂଗ୍ରାମ ଏବଂ ମାତୃଭୂମିର ପ୍ରଶଂସା ବର୍ଣ୍ଣନା କରାଯାଇଛି। ୧୯୩୭ ମସିହାରେ ପଣ୍ଡିତ ଜବାହରଲାଲ ନେହେରୁ, ରବୀନ୍ଦ୍ରନାଥ ଟାଗୋର ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସହ ଆଲୋଚନା ପରେ କଂଗ୍ରେସ ପ୍ରଥମ ଦୁଇଟି ପଦକୁ ଜାତୀୟ ସ୍ତରରେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲା।
‘ବନ୍ଦେ ମାତରମ୍’ର ସମ୍ପୂର୍ଣ୍ଣ ଗାନକୁ ନେଇ କିଛି ଗୋଷ୍ଠୀ ଓ ଦଳ ପକ୍ଷରୁ ବାରମ୍ବାର ପ୍ରଶ୍ନ ଉଠାଯାଉଥିବା ବେଳେ କଂଗ୍ରେସ ନିଜର ଆଭିମୁଖ୍ୟ ବଦଳାଇବ ନାହିଁ ବୋଲି ସଙ୍କେତ ଦେଇଛି। ଭେଣୁଗୋପାଳଙ୍କ କହିବା ଅନୁଯାୟୀ, ଦେଶର ବିବିଧତା ଏବଂ ସବୁ ବର୍ଗର ଭାବନାକୁ ସମ୍ମାନ ଦେଇ ସେତେବେଳେ ଏହି ନିଷ୍ପତ୍ତି ନିଆଯାଇଥିଲା, ଯାହା ଆଜି ବି ପ୍ରାସଙ୍ଗିକ। କଂଗ୍ରେସର ଏହି ବକ୍ତବ୍ୟ ପରେ ଜାତୀୟ ସଙ୍ଗୀତକୁ ନେଇ ଶାସକ ଓ ବିରୋଧୀ ଦଳଙ୍କ ମଧ୍ୟରେ ପୁଣି ଥରେ ଚର୍ଚ୍ଚା ଏବଂ ରାଜନୈତିକ ବାକ୍ଯୁଦ୍ଧ ଆରମ୍ଭ ହୋଇଯାଇଛି।