ନୂଆଦିଲ୍ଲୀ, ୫/୧୧ : ଭାରତ ବାୟୋଟେକ୍ ଓ ଆଇସିଏମଆର ମିଳିତ ସହଯୋଗରେ ନିର୍ମିତ ସ୍ୱଦେଶୀ ଟୀକା ନେଇ ଏକ ଖୁସି ଖବର ଆସିଛି । ସରକାରୀ ପକ୍ଷରୁ କୁହାଯାଇଛି ଯେ ଆକଳନ ତୁଳନାରେ ଗୋଟିଏ ମାସ ପୂର୍ବରୁ ଅର୍ଥାତ ଫେବୃଆରୀ ମାସରେ ଭାରତ ତା’ର କରୋନା ଟୀକା ପାଇବ। ଜଣେ ବରିଷ୍ଠ ସରକାରୀ ବୈଜ୍ଞାନିକ କହିଛନ୍ତି, ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକାର ଶେଷ ପର୍ଯ୍ୟାୟ ଟ୍ରାଏଲ ଚଳିତ ମାସରେ ଆରମ୍ଭ ହେବ। ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ, ଉକ୍ତ ଟିକା ସଂପୂର୍ଣ୍ଣ ସୁରକ୍ଷିତ ଓ ଲାଭ ଦାୟକ ବୋଲି ପ୍ରାମଣିତ ହୋଇଛି।
ତେଣୁ ଫେବୃଆରୀ ପ୍ରଥମ ସପ୍ତାହରେ ହିଁ ଭାରତରେ କରୋନା ଟୀକା ଲଞ୍ଚ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଭାରତ ବାୟୋଟେକ ହେଉଛି ଏକ ଘରୋଇ ଫାର୍ମା କମ୍ପାନୀ। ଏହି କମ୍ପାନୀ ଆଇସିଏମଆର ସହ ମିଶି କୋଭାକ୍ସିନ ନାଁରେ କରୋନା ଟୀକା ପ୍ରସ୍ତୁତ କରିଛି। ପୂର୍ବରୁ ଏହା ଆସନ୍ତାବର୍ଷ ଦ୍ୱିତୀୟ କ୍ୱାର୍ଟରରେ ବଜାରକୁ ଆସିବ ବୋଲି କୁହାଯାଉଥିଲା। ତେବେ ଆଜି ଆଇସିଏମଆରର ବରିଷ୍ଠ ବୈଜ୍ଞାନିକ ରଜନୀ କୁମାର କହିଛନ୍ତି, ପରୀକ୍ଷାରୁ ଜଣାପଡ଼ିଛି ଯେ ଟୀକା ଫଳପ୍ରଦ ହେଉଛି। ଆମର ଆଶା ଆସନ୍ତା ବର୍ଷ ଫେବୃଆରୀ ଆରମ୍ଭରୁ କିମ୍ବା ଶେଷ ଭାଗରେ ଏହା ବଜାରରେ ପ୍ରବେଶ କରିବ।