ଛାତ୍ର ସଂସଦ ଓ ପାର୍ବଣ ସୁରକ୍ଷା ସମୀକ୍ଷା : ଅଣଛାତ୍ରଙ୍କ ଉପରେ ନଜର ରଖିବାକୁ ଡିଜିପିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ ଓ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଡିଜିପି ବିନୟତୋଷ ମିଶ୍ରଙ୍କ ଉଚ୍ଚ ସ୍ତରୀୟ ସୁରକ୍ଷା ସମୀକ୍ଷା କରିଛନ୍ତି । ମଙ୍ଗଳବାର ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଡିଜିପି ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଏସ୍‌ପି ଓ ରେଞ୍ଜ ଆଇଜି/ଡିଆଇଜିଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଛି । ଆଇନଶୃଙ୍ଖଳା, ମହିଳା ସୁରକ୍ଷା, ସାଇବର ଅପରାଧ, ଅପରାଧ ନିୟନ୍ତ୍ରଣ ଏବଂ ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଡିଜିପି ବିସ୍ତୃତ ସମୀକ୍ଷା କରିଛନ୍ତି । ଛାତ୍ର ସଂସଦ ନିର୍ବାଚନ ଉପରେ ଡିଜିପି ଗୁରୁତ୍ୱାରୋପ କରିଛନ୍ତି । ସମୟରେ ଛାତ୍ରଛାତ୍ରୀମାନେ ଏକ ସମ୍ବେଦନଶୀଳ ସମ୍ପ୍ରଦାୟ ହୋଇଥିବାରୁ ସେମାନଙ୍କ ସହ ପୋଲିସର ନିୟମିତ ଓ ବ୍ୟକ୍ତିଗତ ଯୋଗାଯୋଗ ରହିବା ଆବଶ୍ୟକ। ଥାନା ଭାରପ୍ରାପ୍ତ ଅଧିକାରୀ ଓ ଏସ୍‌ଡିପିଓମାନେ ଛାତ୍ର ନେତାମାନଙ୍କ ସହ ବୈଠକ କରି ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସମନ୍ୱୟ ରଖିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସେହିପରି କଲେଜ ପରିସରକୁ ଅଣଛାତ୍ର ଓ ଅସାମାଜିକ ବ୍ୟକ୍ତିଙ୍କ ପ୍ରବେଶ ଉପରେ କଡ଼ା ନଜର ରଖିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ଅଣଛାତ୍ରଙ୍କୁ ରୋକିବା, ଛାତ୍ରାବାସ ଓ ମେସ୍‌ଗୁଡ଼ିକ ଉପରେ ନଜର ରଖିବା ଏବଂ ଛାତ୍ରଛାତ୍ରୀଙ୍କ ସହ ନିୟମିତ ସମ୍ପର୍କ ରଖିବାକୁ ସେ କହିଥିଲେ। ହିଂସାର ଆଶଙ୍କା ନଥିଲେ ଅନାବଶ୍ୟକ ଭାବେ ପୋଲିସ ବଳ ମୁତୟନ ନକରିବାକୁ ମଧ୍ୟ ଡିଜିପି ପରାମର୍ଶ ଦେଇଛନ୍ତି । ଏହା ବ୍ୟତୀତ ଛାତ୍ରଛାତ୍ରୀଙ୍କ ଭୋଜିଭାତ ଓ ଅନ୍ୟାନ୍ୟ ଆୟୋଜନ ଉପରେ ମଧ୍ୟ ନଜର ରଖିବାକୁ ସେ କହିଥିଲେ।

ନିର୍ବାଚନ ସମୟରେ ସମନ୍ୱୟ ବଜାୟ ରଖିବା ପାଇଁ ଜିଲ୍ଲାପାଳ, ଏସ୍‌ପି, ଉପଜିଲ୍ଲାପାଳ ଓ କଲେଜ ଅଧ୍ୟକ୍ଷଙ୍କ ମଧ୍ୟରେ ବୈଠକ କରିବାକୁ ଡିଜିପି ପରାମର୍ଶ ଦେଇଥିଲେ। ନିର୍ବାଚନ ଫଳାଫଳ ପରେ ହିଂସାର ସମ୍ଭାବନା ଥିବାରୁ ସେ ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ମଧ୍ୟ କହିଥିଲେ। ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ସାଇବର ପୋଲିସ ଷ୍ଟେସନଗୁଡ଼ିକର କାର୍ଯ୍ୟକଳାପକୁ ଆହୁରି ସୁଦୃଢ଼ କରିବା ଏବଂ ମାମଲାର ତଦନ୍ତ ଓ ଆଇନଗତ ପଦକ୍ଷେପକୁ ଅଧିକ ଫଳପ୍ରଦ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ଏତଦବ୍ୟତୀତ ମହିଳା ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ସମ୍ବେଦନଶୀଳ ମାମଲାଗୁଡ଼ିକର ତ୍ୱରିତ, ନିରପେକ୍ଷ ଓ ଫଳପ୍ରଦ ତଦନ୍ତ ସୁନିଶ୍ଚିତ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ନିକଟରେ ଭୁବନେଶ୍ୱରରେ ଘଟିଥିବା ଯୁବତୀଙ୍କ ବିରୋଧରେ ଅପରାଧିକ ଘଟଣାକୁ ଗମ୍ଭୀରତାର ସହ ନେଇ ରାଜ୍ୟସାରା ମହିଳା ସୁରକ୍ଷା ବ୍ୟବସ୍ଥା ଉପରେ କଡ଼ା ନଜର ରଖିବା ଏବଂ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ ଆଇନଗତ ପଦକ୍ଷେପ ନେବାକୁ ସେ କହିଥିଲେ।

ଅପରାଧ ନିୟନ୍ତ୍ରଣ ଦିଗରେ ଅଭ୍ୟାସଗତ ଓ ସଂଗଠିତ ଅପରାଧୀଙ୍କ ବିରୋଧରେ କଡ଼ା ପଦକ୍ଷେପ, NDPS ଆଇନର କାର୍ଯ୍ୟାନୁଷ୍ଠାନ ସମେତ ବେଆଇନ କାର୍ଯ୍ୟକଳାପ ବିରୋଧରେ ନିୟମିତ ଚଢ଼ାଉ ଓ ଯାଞ୍ଚ ଉପରେ ଡିଜିପି ଗୁରୁତ୍ୱାରୋପ କରିଥିଲେ। ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’କୁ ଆହୁରି ସଶକ୍ତ କରିବା ସହ ନିଶାଦ୍ରବ୍ୟର ଚୋରାଚାଲାଣ ଓ ଅପରାଧିକ ନେଟୱର୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। NDPS ଆଇନ ଅଧୀନରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ ପାଇଁ ମଧ୍ୟ ଉପଯୁକ୍ତ ପଦକ୍ଷେପ ନେବାକୁ ସେ କହିଥିଲେ। ଏଥିସହିତ ନୂତନ ଅପରାଧ ଆଇନର ସଫଳ କାର୍ଯ୍ୟକାରିତା ଓ ପୋଲିସ ଭିତ୍ତିଭୂମିର ବିକାଶ ଉପରେ ମଧ୍ୟ ଡିଜିପି ଗୁରୁତ୍ୱାରୋପ କରିଥିଲେ। ଆଜିର ବୈଠକରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ସମସ୍ତର ରେଞ୍ଜ ଆଇଜି ଓ ଡିଆଇଜି ଏବଂ ସମସ୍ତ ଜିଲ୍ଲାର ଏସ୍‌ପିମାନେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୈଠକରେ ଯୋଗଦେଇଥିଲେ ।