ନାଲକୋର ସିଏସଆର ଏବଂ ଏଲଭି ପ୍ରସାଦର ମିଳିତ ପ୍ରୟାସ : ଶୀଘ୍ର କାର୍ଯ୍ୟକ୍ଷମ ହେବ ପ୍ରତିକ୍ଷିତ ଅନୁଗୋଳ ଚକ୍ଷୁ ଚିକିତ୍ସାଳୟ
ଭୁବନେଶ୍ୱର, ୦୬/୧୦ : ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଲୋକ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍(ନାଲକୋ) ନିଜର ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡ଼ିକର ଲୋକଙ୍କ ପାଇଁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବା ଦିଗରେ ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରିଛି । ଏହି କ୍ରମରେ, ହାଇଦ୍ରାବାଦସ୍ଥିତ ଏଲ୍.ଭି. ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ସହ ପୂର୍ବରୁ ହୋଇଥିବା ଚୁକ୍ତିନାମାରେ ଆଉ ଏକ ଗୁରୁତ୍ତ୍ଵପୁର୍ଣ୍ଣ ଅତିରିକ୍ତ ଚୁକ୍ତି ସ୍ୱାକ୍ଷର କରାଯାଇଛି। ଏହି ପଦକ୍ଷେପ ଅନୁଗୋଳସ୍ଥିତ ନାଲକୋ ନଗରରେ ସେକେଣ୍ଡାରୀ ପ୍ଲସ୍ ଆଇ କେୟାର ସେଣ୍ଟର (ଚକ୍ଷୁ ଚିକିତ୍ସା କେନ୍ଦ୍ର) କାର୍ଯ୍ୟକ୍ଷମ ହେବା ଦିଗରେ ସହାୟକ ହେବ। ଉଲ୍ଲେଖନୀୟ ଯେ, ଏହି ଅଞ୍ଚଳକୁ ବିଶେଷଜ୍ଞ-ସ୍ତରୀୟ ତଥା ସୁଲଭ ଚକ୍ଷୁ ଚିକିତ୍ସା ସେବା ଯୋଗାଇବା ଲକ୍ଷ୍ୟରେ ନାଲକୋ, ଏଲ୍ଭିପିଇଆଇ ସହଯୋଗରେ ଅନୁଗୋଳଠାରେ ଏକ ଆଧୁନିକ ଚକ୍ଷୁ ଚିକିତ୍ସା କେନ୍ଦ୍ର ପାଇଁ ଭିତ୍ତିଭୂମି ସ୍ଥାପନ କରିଥିଲା । ଭିତ୍ତିଭୂମି ସ୍ଥାପନ ପରେ ପରିଚାଳନାଗତ ସମସ୍ୟା ଯୋଗୁଁ ଏହି ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା କେନ୍ଦ୍ରର କାର୍ଯ୍ୟ ଆରମ୍ଭ ହେବାରେ ବିଳମ୍ବ ଘଟିଥିଲା । ଏହି, ପ୍ରକଳ୍ପର ଏକ ବିସ୍ତୃତ ସମୀକ୍ଷା ପରେ ନାଲକୋ ଏବଂ ହାଇଦ୍ରାବାଦସ୍ଥିତ ଏଲ୍ଭିପିଇଆଇ ଏକ ଅତିରିକ୍ତ ଚୁକ୍ତିନାମା ସ୍ୱାକ୍ଷର କରିବା ସହ ମୁଖ୍ୟ ପ୍ରତିବନ୍ଧକଗୁଡ଼ିକର ସମାଧାନ ଦିଗରେ ତତ୍ପରତା ପ୍ରକାଶ କରିଛନ୍ତି; ଫଳସ୍ୱରୂପ ଆଗାମୀ କିଛି ମାସ ମଧ୍ୟରେ ଏହି କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବା ପାଇଁ ପଥ ପରିଷ୍କାର ହୋଇପାରିଛି ।
ନାଲକୋ କର୍ପୋରେଟ୍ କାର୍ଯ୍ୟାଳୟରେ ନାଲକୋର ସିଏସ୍ଆର୍ ଶାଖା ନାଲକୋ ଫାଉଣ୍ଡେସନ୍ ଏବଂ ହାଇଦ୍ରାବାଦସ୍ଥିତ ଏଲ୍ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ମ ଧ୍ୟରେ ଏକ ଅତିରିକ୍ତ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ନାଲକୋ ସିଏମ୍ଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ, ନାଲକୋର ନିର୍ଦ୍ଦେଶକବୃନ୍ଦ, ଏଲ୍ଭିପିଇଆଇର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ପ୍ରଶାନ୍ତ ଗର୍ଗ ଏବଂ ଉଭୟ ସଂସ୍ଥାର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ, ସେକେଣ୍ଡାରୀ ପ୍ଲସ୍ ଆଇ କେୟାର ସେଣ୍ଟର ର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ପାଇଁ ନାଲକୋ ଫାଉଣ୍ଡେସନ୍ ଏବଂ ଏଲ୍ଭିପିଇଆଇ ମିଳିତ ଭାବେ ପ୍ରୟାସ କରିବେ । ଏହି ପ୍ରସ୍ତାବିତ କେନ୍ଦ୍ରର ପରିଚାଳନା ଦାୟିତ୍ୱ ଏଲ୍ଭିପିଇଆଇକୁ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ଏଲ୍ଭିପିଇଆଇ ଚକ୍ଷୁ ଚିକିତ୍ସା ସେବାରେ ଉତ୍କର୍ଷତା ପାଇଁ ବିଶ୍ୱସ୍ତରରେ
ସ୍ୱୀକୃତିପ୍ରାପ୍ତ ଏବଂ ଭୁବନେଶ୍ୱରରେ ଏକ ଟର୍ସିଆରୀ ଆଇ କେୟାର ସେଣ୍ଟର ମଧ୍ୟ ପରିଚାଳନା କରୁଛି । ଅନୁଗୋଳ ତଥା ଆଖପାଖ ଜିଲ୍ଲାର ବାସିନ୍ଦାଙ୍କ ପାଇଁ ଏହି ବହୁ-ପ୍ରତୀକ୍ଷିତ ଚକ୍ଷୁ ଚିକିତ୍ସା କେନ୍ଦ୍ର ଯଥେଷ୍ଟ ସହାୟକ ହେବ ବୋଲି ଆଶା କରାଯାଉଛି । ଏହି କେନ୍ଦ୍ର ସୁଲଭ ଓ ରିହାତି ମୂଲ୍ୟରେ ଉନ୍ନତମାନର ଚକ୍ଷୁ ଚିକିତ୍ସା ସେବା ଯୋଗାଇବ, ଯାହା ବିଶେଷ ଭାବରେ ନାଲକୋ ର ପରିପାର୍ଶ୍ଵିକ ଗ୍ରାମଗୁଡ଼ିକରେ ବସବାସ କରୁଥିବା ଲୋକଙ୍କ ପାଇଁ ଲାଭଦାୟକ ହେବ । କାର୍ଯ୍ୟକ୍ଷମ ହେବା ପରେ, ଏହି କେନ୍ଦ୍ର ଅନୁଗୋଳ, ଢେଙ୍କାନାଳ, ଦେବଗଡ଼, ବୌଦ୍ଧ ଏବଂ ପଡ଼ୋଶୀ ଜିଲ୍ଲାମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଚକ୍ଷୁ ଚିକିତ୍ସା କେନ୍ଦ୍ର ଭାବରେ କାର୍ଯ୍ୟ କରିବ ବୋଲି ପରିକଳ୍ପନା କରାଯାଇଛି, ଯାହା ଦ୍ଵାରା ବିଶେଷ ଚକ୍ଷୁ ଚିକିତ୍ସା ସେବାର ଉପଲବ୍ଧତାରେ ଉଲ୍ଲେଖନୀୟ ଉନ୍ନତି ଆସିବ ଏବଂ ଅଞ୍ଚଳର ସାମଗ୍ରିକ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରାଯାଇପାରିବ ।