ସୌମ୍ୟ ହତ୍ୟା ମାମଲାରେ ଡିଜିପିଙ୍କ ପ୍ରତିକ୍ରିୟା, ପୂର୍ଣ୍ଣାଙ୍ଗ ସତ୍ୟ ସାମ୍ନାକୁ ଆସିବା ପର୍ଯ୍ୟନ୍ତ ଜାରି ରହିବ ତଦନ୍ତ

ଭୁବନେଶ୍ୱର, ୦୬/୧୦ : ସୌମ୍ୟ ହତ୍ୟା ମାମଲାରେ ଲାଇ ଡିଟେକ୍ସନ ଟେଷ୍ଟ ନେଇ ଡିଜିପିଙ୍କ ପ୍ରତିକ୍ରିୟା । କୌଣସି ବୟାନ ଉପରେ ସନ୍ଦେହ ସୃଷ୍ଟି ହେଲେ, ଲାଇ ଡିଟେକ୍ସନ୍ ଟେଷ୍ଟ କରାଯାଏ । ଅଭିଯୋଗ ଆସିବା ମାତ୍ରେ ଲାଇ ଡିଟେକ୍ସନ୍ କରିବା ତଦନ୍ତ ବିରୁଦ୍ଧ ବୋଲି କହିଛନ୍ତି ଡିଜିପି ବିନୟତୋଷ ମିଶ୍ର । ସୌମ୍ୟ ହତ୍ୟା ମାମଲାର ତଦନ୍ତ ପ୍ରକ୍ରିୟାରେ ଯେଉଁଠି ସନ୍ଦେହ ଉପୁଜିଛି ସେହିଠାରେ ହିଁ ପଲିଗ୍ରାଫ୍ ଟେଷ୍ଟ ହୋଇଛି । ସୌମ୍ୟଙ୍କ ସାଙ୍ଗ ଓମଙ୍କର ପୋଲିଗ୍ରାଫ୍ ଟେଷ୍ଟ କରାଯାଇସାରିଛି । ଏହାସହ କ୍ରାଇମବ୍ରାଞ୍ଚ ସମ୍ପୂର୍ଣ୍ଣ ପ୍ରଫେସନାଲ୍ ଭାବେ କାର୍ଯ୍ୟ କରୁଛି ଏବଂ କୌଣସି ବାହ୍ୟ ଚାପରେ କାମ କରିବାର ପ୍ରଶ୍ନ ଉଠୁନାହିଁ । ଘଟଣାର ପ୍ରାରମ୍ଭିକ ପର୍ଯ୍ୟାୟରେ FIRରେ କେବଳ ଡାକନାମ ଥିବାରୁ ଓ ଚାପ ଯୋଗୁଁ କିଛି ଲୋକଙ୍କୁ ଗିରଫ କରାଯାଇଥିଲା । ପରବର୍ତ୍ତୀ ସମୟରେ ସେମାନେ ନିର୍ଦ୍ଦୋଷ ବୋଲି ଜାଣିବା ପରେ ତାଙ୍କୁ ଛାଡ଼ି ଦିଆଯାଇଛି । ସୌମ୍ୟଙ୍କ ବାପା ଉଠାଇଥିବା ପ୍ରତ୍ୟେକଟି ପଏଣ୍ଟକୁ ତଦନ୍ତ ପରିସରଭୁକ୍ତ କରାଯାଇଛି । ଘଟଣାର ତାରିଖ, ସମୟ, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ, ଭିଡିଓ ଫୁଟେଜ୍ ଓ ସାଇଣ୍ଟିଫିକ୍ ପ୍ରମାଣ ଭିତ୍ତିରେ ତଦନ୍ତ ଜାରି ରହିଛି । ଯେପର୍ଯ୍ୟନ୍ତ ଏ ଘଟଣାର ପୂର୍ଣ୍ଣାଙ୍ଗ ସତ୍ୟାସତ୍ୟ ସାମ୍ନାକୁ ନ ଆସିଛି, ସେପର୍ଯ୍ୟନ୍ତ ତଦନ୍ତ ପ୍ରକ୍ରିୟା ନିରବଚ୍ଛିନ୍ନ ଭାବେ ଜାରି ରହିବ ବୋଲି ଡିଜିପି ସୂଚନା ଦେଇଛନ୍ତି ।