ଭୁବନେଶ୍ୱର : ସାଧାରଣତଃ ଆମିଷପ୍ରିୟ ଲୋକଙ୍କୁ ମାଛ ଖାଇବାକୁ ଭଲ ଲାଗିଥାଏ । କାରଣ ମାଛରେ ଓମେଗା-୩ ଫ୍ୟାଟି ଏସିଡ୍ ଏବଂ ପ୍ରୋଟିନ୍ ବହୁଳ ମାତ୍ରାରେ ରହିଥାଏ, ଯାହାକି ଶରୀରକୁ ଅନେକ ଫାଇଦା ଯୋଗାଇଥାଏ । କିନ୍ତୁ ବର୍ଷା ଋତୁରେ ମାଛ ଖାଇବା ସ୍ୱାସ୍ଥ୍ୟ ଲାଗି ହାନିକାରକ ସାବ୍ୟସ୍ତ ହୋଇଥାଏ । ଆସନ୍ତୁ ଜାଣିବା …
୧- ବର୍ଷାଋତୁ ମାଛମାନଙ୍କର ପ୍ରଜନନର ଋତୁ : ବର୍ଷାଦିନ ମାଛ ଏବଂ ଅନ୍ୟ ସମୁଦ୍ରିକ ଜୀବଙ୍କର ପ୍ରଜନନ ଋତୁ ହୋଇଥାଏ । ଏହି କାରଣକୁ ନେଇ ମଞ୍ଜି ଥିବା ମାଛକୁ ଖାଇବା ଯୋଗୁଁ ବ୍ୟକ୍ତିର ପେଟ ମଧ୍ୟରେ ସଂକ୍ରମଣ ହେବା ସହିତ ଫୁଡ୍ ପଏଜ୍ନିଙ୍ଗ ସମସ୍ୟା ବି ଦେଖାଯାଇଥାଏ।
୨- ପ୍ରଦୂଷିତ ପାଣି : ବର୍ଷାଦିନରେ ଜଳ ପ୍ରଦୂଷଣର ଆଶଙ୍କା ବଢ଼ିଯାଇଥାଏ । ଏହି କାରଣକୁ ନେଇ ମାଛ ଶରୀରରେ ମଇଳା ଜମି ରହିଥାଏ, ଯାହାକି ପାଣିରେ ଧୋଇବା ପରେ ବି ପରିଷ୍କାର ହୋଇ ନ ଥାଏ। ଏହା ଖାଇବା ଦ୍ୱାରା ବ୍ୟକ୍ତିକୁ ଟାଇଫଏଡ୍, ପିଲିୟା ଏବଂ ଡ଼ାଇରିଆ ଭଳି ଭୟାନକ ରୋଗ ମାଡ଼ି ବସିଥାଏ।
୩- ବଜାରରେ ମିଳେ ନାହିଁ ତଟକା ମାଛ: ଏହି ସମୟରେ ମାଛ ଧରା ପ୍ରାୟତଃ କମ୍ ହୋଇଥାଏ । କାରଣ ପାଣିର ଗଭୀରତା ଅଧିକ ହୋଇଥିବା ହେତୁ ଏହି ଦିନମାନଙ୍କରେ ମାଛ ମିଳିବା ଟିକିଏ କଷ୍ଟ ହୋଇପଡ଼େ। ଯେଉଁ କାରଣକୁ ନେଇ ପୂର୍ବରୁ କୋଲ୍ଡ ଷ୍ଟୋରରେ ରହିଥିବା ମାଛକୁ ବଜାରକୁ ଆସିଥାଏ। ଏହା ସଂକ୍ରମଣ ଆଶଙ୍କା ସୃଷ୍ଟି କରିଥାଏ।
୪-ମାଛରେ ପ୍ରିଜର୍ଭେଟିଭ୍ର ପ୍ରୟୋଗ : ବର୍ଷା ଋତୁରେ ମାଛମାନଙ୍କଠାରେ ବ୍ୟାକ୍ଟେରିଆ ଏବଂ ୟିଷ୍ଟ୍ ଠାରୁ ବଂଚାଇବା ଲାଗି ସଲ୍ଫାଟେସ ଏବଂ ପୋଲିଫୋସ୍ପାଟେସ ଭଳି ପ୍ରିଜର୍ଭେଟିଭ୍ର ବ୍ୟବହାର କରାଯାଇଥାଏ। ପ୍ରିଜର୍ଭେଟିଭ୍ ଦିଆ ମାଛ ଖାଇବା ଯୋଗୁଁ ବ୍ୟକ୍ତିକୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେବା ସାଂଗକୁ ହୃଦରୋଗ ଭଳି ଗମ୍ଭୀର ସମସ୍ୟା ହେବାର ମଧ୍ୟ ସମ୍ଭାବନା ରହିଥାଏ।