ପୁରୁଷ ହକି ବିଶ୍ଵକପ୍ : ଇଂଲଣ୍ଡକୁ ହରାଇ ସେମି ଫାଇନାଲ୍‌ରେ ଜର୍ମାନୀ

ଭୁବନେଶ୍ବର,୨୫/୧: ପୁରୁଷ ହକି ବିଶ୍ବକପ୍‌ ୨୦୨୩ରେ ତୃତୀୟ ଦଳ ଭାବେ ସେମି ଫାଇନାଲ୍‌ରେ ପ୍ରବେଶ କରିଛି ଜର୍ମାନୀ। ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ରୋମାଞ୍ଚକର କ୍ଵାର୍ଟର ଫାଇନାଲ୍‌ ମୁକାବିଲାରେ ଜର୍ମାନୀ ପେନାଲ୍‌ଟି ସୁଟଆଉଟ୍‌ରେ ଇଂଲଣ୍ଡକୁ ପରାସ୍ତ କରିଛି। ଏଥିସହ ତୃତୀୟ ଦଳ ଭାବେ ସେମି ଫାଇନାଲ୍‌ରେ ପହଞ୍ଚିଛି। ମୁକାବିଲା ୨-୨ରେ ଅମୀମାଂସିତ ରହିବା ପରେ ମ୍ୟାଚ୍ ପେନାଲଟି ସୁଟଆଉଟ୍‌କୁ ଯାଇଥିଲା। ଏଥିରେ ଜର୍ମାନୀ ୪-୩ରେ ଇଂଲଣ୍ଡକୁ ମାତ୍ ଦେଇଛି। ଏହା ପୂର୍ବରୁ ଅଷ୍ଟ୍ରେଲିଆ ଏବଂ ବେଲଜିୟମ ସେମିରେ ପହଞ୍ଚି ସାରିଛନ୍ତି।

ପ୍ରଥମରୁ ପ୍ରଭାବ ବିସ୍ତାର କରିଥିଲା ଇଂଲଣ୍ଡ । ୧ତମ ମିନିଟରେ ଓ୍ବାଲେକ୍‌ ଜ୍ୟାକହାରୀ ପ୍ରଥମ ଗୋଲ୍‌ ଦେଇଥବା ବେଳେ ଦ୍ବିତୀୟ ଗୋଲ ୩୨ତମ ମିନିଟରେ ଦେଇଥିଲେ ଆନସେଲ୍‌ ଲିୟାମ୍‌ । ତୃତୀୟ କ୍ଵାର୍ଟର ସୁଦ୍ଧା ମ୍ୟାଚ୍‌ରେ ୨-୦ରେ ଆଗୁଆ ଥିଲା ଇଂଲଣ୍ଡ। ଲାଗୁଥିବା ଇଂଲଣ୍ଡ ଅତି ସହଜରେ ସେମିକୁ ଚାଲିଯିବ । କିନ୍ତୁ ଚତୁର୍ଥ କ୍ଵାର୍ଟରର ଶେଷ କେଇ ମିନିଟ୍‌ରେ ସବୁ ଓଲଟ ପାଲଟ କରିଦେଇଥିଲା ଜର୍ମାନୀ ୪ର୍ଥ କ୍ବାର୍ଟରରେ ଜର୍ମାନୀ ପକ୍ଷରୁ ଗ୍ରାମବସ୍‌ ମାଟ୍ସ ୫୭ ମିନିଟରେ ପ୍ରଥମ ଗୋଲ୍‌ ଦେଇଥିବା ବେଳେ ଏହାର ଗୋଟିଏ ମିନିଟ ପରେ ଅର୍ଥାତ୍‌ ୫୮ତମ ମିନିଟରେ ଗ୍ରାମବସ୍‌ ଟମ୍‌ ଦ୍ବିତୀୟ ଗୋଲ ଦେଇଥିଲେ । ମ୍ୟାଚ୍ ୨-୨ରେ ଅମୀମାଂସିତ ରହିବା ପରେ ପେନାଲିଟି କର୍ଣ୍ଣର ମାଧ୍ୟମରେ ୩-୪ରେ ବିଜୟୀ ହୋଇଛି ଜର୍ମାନୀ ।