ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ-୨୦୨୩ର ଏକ ମ୍ୟାଚରେ ଦିଲ୍ଲୀକୁ୬ ୱିକେଟରେ ପରାସ୍ତ କରିଛି ଗୁଜରାଟ । ଦ୍ବିତୀୟ ପାଳିରେ ଗୁଜୁରାଟ ୧୬୩ ରନ୍ର ଲକ୍ଷ୍ୟକୁ ପିଛା କରି ୧୮.୧ ଓଭରରେ ୪ ୱିକେଟ ହରାଇ ୧୬୩ ରନ୍ କରି ବିଜୟ ହୋଇଛି । ଗୁଜରାଟ ପକ୍ଷରୁ ସାଇ ସୁଦର୍ଶନ ୪୮ ବଲରେ ୬୨ ରନ୍ କରିଥିବା ବେଳେ ଡେଭିଡ ମିଲରଙ୍କ ଦମ୍ଦାର ୧୬ ବଲରେ ୩୧ ରନ୍ ବଳରେ ଗୁଜୁରାଟ ଏହି ମ୍ୟାଚ୍କୁ ଜିତି ନେଇଛି । ସେହିପରି ଦିଲ୍ଲୀ ପକ୍ଷରୁ ଅନ୍ରିଚ୍ ନର୍ଟେଜେ ୨ଟି ୱିକେଟ ନେଇଥିବା ବେଳେ ଖାଲିଲ ଅହମ୍ମଦ, ମିଚେଲ ମାର୍ଶ ୧-୧ ୱିକେଟ ନେଇଥିଲେ । ଏହି ବିଜୟ ସହ ଗୁଜରାଟ ୪ ପଏଣ୍ଟ ସହ ଟେବୁଲ ତାଲିକାର ଶିର୍ଷରେ ରହିଛି ।
ପ୍ରଥମ ପାଳିରେ ଗୁଜରାଟ ଟାଇଟନ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୬୨ ରନ କରିଥିଲା । ଦିଲ୍ଲୀ ପକ୍ଷରୁ ଡେଭିଡ ଓ୍ବାର୍ନର ୩୭ ରନ କରିଥିବାବେଳେ ଅକ୍ଷର ପଟେଲ ୩୬ ରନ କରିଥିଲେ । ସେହିପରି ସରଫରାଜ ଖାଁ ୩୦ ରନ କରିଥିଲେ ଓ ଅଭିଷେକ ପୋରେଲ ୨୦ ରନ କରିଥିଲେ । ମାତ୍ର ଦଳର ଦୁଇ ତାରକା ବ୍ୟାଟର ପୃଥିବୀ ଶ ଓ ମିଚେଲ ମାର୍ସ ବିଫଳ ହୋଇଥିଲେ । ଉଭୟ ଯଥାକ୍ରମେ ୭ ଓ ୪ ରନ କରିଥିଲେ । ସେହିପରି ରିଲି ରୋସୋ ଖାତା ଖୋଲିପାରିନଥିଲେ । ଏହି ମ୍ୟାଚରେ ଗୁଜରାଟ ପକ୍ଷରୁ ମହମ୍ମଦ ସାମି ଓ ରସିଦ ଖାଁ ଉନ୍ନତ ବୋଲିଂ ପ୍ରଦର୍ଶନ କରି ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ଅଲଜାରି ଜୋସେଫ ୨ଟି ଓ୍ବିକେଟ ନେଇଥିଲେ ।