ବିଶ୍ୱକପରେ ପୁଣି ଭାରତ-ପାକିସ୍ତାନ ମହାମୁକାବିଲା, ୧୦ରେ ହେବ ଲଢ଼େଇ

ନୂଆଦିଲ୍ଲୀ, ୦୨/୧୦ : ବିଶ୍ୱକପରେ ପୁଣି ଭାରତ-ପାକିସ୍ତାନ ମହାମୁକାବିଲା । ଅକ୍ଟୋବର ୧୦ରେ ଜୋହାନ୍ସବର୍ଗରେ ହେବ ହାଇଭୋଲଟେଜ୍ ଲଢ଼େଇ । ସବୁଠୁ ବଡ଼ ଆକର୍ଷଣ, ଗ୍ରୁପ୍ ପର୍ଯ୍ୟାୟରେ ଭାରତ-ପାକିସ୍ତାନ ମୁକାବିଲା। ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀଙ୍କୁ ଗ୍ରୁପ୍-Aରେ ରଖାଯାଇଛି। ୧୦ ତାରିଖରେ ଜୋହାନ୍ସବର୍ଗର ୱାଣ୍ଡରର୍ସରେ ହେବ ଏହି ହାଇଭୋଲଟେଜ୍ ମ୍ୟାଚ୍। ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବିଆ ମିଳିତ ଭାବେ ୨୦୨୭ ବିଶ୍ୱକପ୍ ଆୟୋଜନ କରିବେ। ଅକ୍ଟୋବର ୨ରୁ ନଭେମ୍ବର ୨୧ ପର୍ଯ୍ୟନ୍ତ ଚାଲିବ କ୍ରିକେଟର ମହାକୁମ୍ଭ। ୨୪ ବର୍ଷ ପରେ ପୁଣି ଆଫ୍ରିକା ମାଟିକୁ ଫେରୁଛି ୫୦ ଓଭର ବିଶ୍ୱକପ୍। ଗ୍ରୁପ୍-Aରେ ଭାରତ ସହ ପାକିସ୍ତାନ, ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ଆୟୋଜକ ଜିମ୍ବାୱେ ଏବଂ କ୍ୱାଲିଫାୟର-A ରହିଛନ୍ତି। ଗ୍ରୁପ୍-Bରେ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ବାଂଲାଦେଶ ଏବଂ କ୍ୱାଲିଫାୟର-B ସ୍ଥାନ ପାଇଛନ୍ତି।

ଭାରତ ଅକ୍ଟୋବର ୭ରେ କେପ୍ ଟାଉନରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ। ଏହାପରେ ଅକ୍ଟୋବର ୧୦ରେ ପାକିସ୍ତାନ ସହ ମୁକାବିଲା। ଅକ୍ଟୋବର ୧୪ରେ ଆଫଗାନିସ୍ତାନ, ୧୭ରେ କ୍ୱାଲିଫାୟର-A ଏବଂ ୨୪ରେ ଜିମ୍ବାୱେ ବିପକ୍ଷରେ ଖେଳିବ ଟିମ୍ ଇଣ୍ଡିଆ। ଟୁର୍ଣ୍ଣାମେଣ୍ଟରେ ମୋଟ ୫୭ଟି ମ୍ୟାଚ୍ ୩ଟି ଦେଶର ୧୨ଟି ଭେନ୍ୟୁରେ ଖେଳାଯିବ।

ଗ୍ରୁପ୍ ପର୍ଯ୍ୟାୟ ପରେ ଶ୍ରେଷ୍ଠ ୭ଟି ଦଳ ସୁପର-୭ ପର୍ଯ୍ୟାୟକୁ ଯିବେ। ସେଠାରୁ ଶ୍ରେଷ୍ଠ ୪ ଦଳ ସେମିଫାଇନାଲରେ ପ୍ରବେଶ କରିବେ। ପ୍ରଥମ ସେମିଫାଇନାଲ୍ ନଭେମ୍ବର ୧୭ରେ କେପ୍ ଟାଉନ୍ ଏବଂ ଦ୍ୱିତୀୟ ସେମିଫାଇନାଲ୍ ନଭେମ୍ବର ୧୮ରେ ତ୍ସ୍ୱାନେରେ ଖେଳାଯିବ। ନଭେମ୍ବର ୨୧ ରବିବାର ଜୋହାନ୍ସବର୍ଗର ୱାଣ୍ଡରର୍ସରେ ଖେଳାଯିବ ବିଶ୍ୱକପ୍ ର ଫାଇନାଲ୍।