ବିପୁଳ କଫ ସିରପ ଜବତ : ମହିଳା ଗିରଫ

ଭୁବନେଶ୍ୱର, ୦୨/୧୦ : ସମ୍ବଲପୁର ଜିଲା ଅବକାରୀ ବିଭାଗ ପକ୍ଷରୁ ବିପୁଳ ନିଶା କଫ ସିରପ ସହିତ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଅବକାରୀ ବିଭାଗ ତରଫରୁ ଆଗାମୀ ପାର୍ବପର୍ବାଣିକୁ ଧ୍ୟାନରେ ରଖି ଜିଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଥିବା ବେଳେ ଜିଲାର ଠେଲକୋଲେଇ ଥାନା ଅନ୍ତର୍ଗତ ଶ୍ରଦ୍ଧାପାଲି ଗ୍ରାମରେ ନିଶା କଫ ସିରପ କାରବାର ଚାଲୁଥିବାର ଖବର ମିଳିବାରୁ ଗୁରୁବାର ଚଢ଼ଉ କରାଯାଇଥିଲା । ଚଢ଼ଉ ସମୟରେ ଶ୍ରଦ୍ଧାପାଲି ଗ୍ରାମର ନିବାସୀ ପୁଷ୍ପଲତା ବେହେରା (୫୨) ନାମକଜଣେ ମହିଳାଙ୍କୁ ଧରାଯାଇଥିଲା । ମହିଳାଙ୍କ ନିକଟରୁ ୩୩୦ଟି ନିଶା କଫ ସିରପ ଅବୈଧ୍ୟ ରୂପେ ରଖାଯାଇଥିବାର ମିଳିଥିଲା । ଏଣୁ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ମହିଳାଙ୍କୁ ଗିରଫ କରିବା ସହିତ ସମସ୍ତ ନିଶା କଫ ସିରପ ଗୁଡିକୁ ଜବତ କରାଯାଇଛି । ଗିରଫ ମହିଳାଙ୍କୁ ଅଦାଲତକୁ ଆଜି ଚାଲାଣ କରାଯାଇଛି ବୋଲି ଅବକାରୀ ବିଭାଗ ତରଫରୁ ସୁଚନା ଦିଆଯାଇଛି ।