ଆଧୁନିକ ଜୀବନଶୈଳୀ ଏବଂ ଖାଦ୍ୟପେୟ ଆମ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଥାଏ । ଆମ ଖାଦ୍ୟରେ ପୁଷ୍ଟିକରତା , ଫାଇବରର ଅଭାବ ଏବଂ ଫାଷ୍ଟ , ଜଙ୍କ୍ ଫୁଡ୍ ଭଳି ଖାଇବା, ଆମ ପାଚନ ପ୍ରକ୍ରିୟାକୁ ବହୁତ କ୍ଷତି ପହଞ୍ଚାଇଛି । ଫଳସ୍ୱରୂପ କୋଷ୍ଠକାଠିନ୍ୟ, ଗ୍ୟାସ୍, ଏସିଡିଟି, ବଦହଜମୀ ଏବଂ ପେଟ ଭାରୀ ହେବା ଭଳି ସମସ୍ୟା ସାଧାରଣ ହୋଇଗଲାଣି । ଏପରି ସମସ୍ୟା ଦେଖାଦେବା ମାତ୍ରେ ତୁରନ୍ତ ଆମେ ମେଡିସିନ୍ ଖାଇ ଦେଇଥାଉ । କିନ୍ତୁ ବାରମ୍ବାର ମେଡିସିନ୍ ଖାଇବା କ୍ଷତିକାରକ ହୋଇଥାଏ । ହେଲେ ଆମେ ଆଜି ଆପଣଙ୍କୁ ଗୋଟିଏ ଘରୋଇ ଉପଚାର ସମ୍ପର୍କରେ ଜଣାଇବୁ, ଯାହା ପେଟ ଥଣ୍ଡା ରଖିବା ସହ ଅନେକ ସମସ୍ୟାରୁ ମୁକ୍ତି ଦେବ ।
ଭୁସି ନାଁ ବୋଧେ ସମସ୍ତେ ଶୁଣିଥିବେ ନିଶ୍ଚୟ । ଯାହାକୁ ପାଣିରେ ବତୁରାଇଦେବା ମାତ୍ରେ ଜେଲ ଭଳି ହୋଇଯାଇଥାଏ । କବ୍ଜ ଭଳି ସମସ୍ୟା ପାଇଁ ଭୁସି ପିଇବାକୁ ପରାମର୍ଶ ଦିଆଯାଇଥାଏ । ଯାହାକୁ ଆୟୁର୍ବେଦର ଏକ ଔଷଧ ଭାବେ ବିବେଚନା କରାଯାଏ । ଏଥିରେ ପ୍ରଚୁର ମାତ୍ରାରେ ଫାଇବର ରହିଛି । ଯାହା କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ। ତେବେ କେବଳ କୋଷ୍ଠକାଠିନ୍ୟ ନୁହେଁ ଆହୁରି ଅନେକ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ତେବେ ଆସନ୍ତୁ ଭୁସିର ଫାଇଦା ବିଷୟରେ ଜାଣିବା ।
କୋଷ୍ଠକାଠିନ୍ୟ ଦୂର କରେ: ଭୁସିରେ ହାଇଗ୍ରୋସ୍କୋପିକ୍ ଗୁଣ ରହିଛି । ଯାହା ଡାଇଜେଷ୍ଟିବ ସିଷ୍ଟମ୍ରୁ ଅଧିକରୁ ଅଧିକ ଜଳ ଶୋଷିବାରେ ସାହାଯ୍ୟ କରେ । ଏଥିରେ ଥିବା ଫାଇବର କବ୍ଜକୁ ଶୀଘ୍ର ଭଲ କରିଥାଏ । ପେଟ ସମସ୍ୟା ଥିଲେ କ୍ଷୀର ସହ ୨ ଚାମଚ ଭୁସି ମିଶାଇ ପିଇପାରିବେ ।
ଡାଇରିଆ ରୋକେ: ଭୁସି ଅନ୍ତନଳୀକୁ ପରିଷ୍କାର କରେ । ଫଳରେ ପେଟରେ ହେଉଥିବା ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରେ । ଡାଇରିଆ ବେଳେ ଆପଣ ଭୁସିକୁ ଦହିରେ ମିଶାଇ ଖାଇବା ଦ୍ବାରା ଏହି ସମସ୍ୟାରୁ ରକ୍ଷା ମିଳିଥାଏ । ଉଭୟ ଦହି ଓ ଭୁସି ଡାଇରିଆକୁ ରୋକିବାରେ ସହାୟକ କରିଥାଆନ୍ତି ।
ବ୍ଲଡ ସୁଗାର ଲେବଲ କମ୍ କରେ: ବ୍ଲଡ୍ ସୁଗାର ଲେବଲକୁ ନିୟନ୍ତ୍ରଣ କରିବାରେ ଭୁସି ସାହାଯ୍ୟ କରେ । କାରଣ ଏହା ଗ୍ଲୁକୋଜ୍କୁ ଅବଶୋଷଣ କରିଥାଏ । ଏହା ବ୍ୟତୀତ ଏଥିରେ ଥିବା ଜିଲୋଟିନ୍ ଆପଣଙ୍କ ବ୍ଲଡ୍ ସୁଗାରକୁ ମଧ୍ୟ କମ୍ କରିବାରେ ସାହାଯ୍ୟ କରେ ।
କୋଲୋଷ୍ଟ୍ରୋଲ କମାଏ: ଭୁସି ପିତ୍ତ ଏସିଡ୍କୁ ବାନ୍ଧିଥାଏ ଓ ଏଲଡିଏଲ ଅର୍ଥାତ୍ ଖରାପ କୋଲୋଷ୍ଟ୍ରୋଲର ସ୍ତରକୁ କମ୍ କରିବାରେ ସାହାଯ୍ୟ କରେ। ଏହା ଏଚ୍ଡିଏଲ ଅର୍ଥାତ୍ ଉତ୍ତମ କୋଲୋଷ୍ଟ୍ରୋଲର ସ୍ତରକୁ ମଧ୍ୟ ବଢ଼ାଏ ।
ହାର୍ଟକୁ ସୁସ୍ଥ ରଖେ: ଭୁସି ଶରୀରରେ ଟ୍ରାଇଗ୍ଲିସରାଇଡ୍ ଲେବଲକୁ କମ୍ କରେ। ଫଳରେ ହାର୍ଟ ସୁସ୍ଥ ରହେ। ଏହା ହାର୍ଟର ମାଂସପେଶୀକୁ ମଜଭୁତ କରେ, ଲିପିଡ୍ ସ୍ତରକୁ ବଢ଼ାଏ ଓ ବ୍ଲଡ୍ ପ୍ରେସରକୁ କମ୍ କରିଥାଏ ।
ଓଜନ କମାଏ:
ଭୁସି ଓଜନ କମ୍ କରିବାରେ ମଧ୍ୟ ସାହାଯ୍ୟ କରେ। ଏହାକୁ ୧ ଗ୍ଲାସ ପାଣିରେ କିମ୍ବା ଜୁସ୍ରେ ମିଶାଇ ପିଅନ୍ତୁ। ଆପଣ ଚାହିଲେ ଲେମ୍ବୁ ପାଣିରେ ମଧ୍ୟ ଭୁସି ମିଶାଇ ପିଇପାରିବେ। ଏହା ପେଟକୁ ଥଣ୍ଡା ରଖିବା ସହ ଓଜନ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ ।