ଆସୁଛି ଶ୍ରୀମନ୍ଦିରରେ ହେବ ଇ-ହୁଣ୍ଡି ବ୍ୟବସ୍ଥା : ଅନଲାଇନ୍‌ରେ ମହାପ୍ରଭୁଙ୍କୁ ଅର୍ପଣ କରିପାରିବେ ଭକ୍ତିର ଦାନ

ଭୁବନେଶ୍ୱର, ୦୪/୦୬ : ଶ୍ରୀମନ୍ଦିରକୁ ନ ଆସିପାରିଲେ ମଧ୍ୟ ମହାପ୍ରଭୁଙ୍କ ହୁଣ୍ଡିରେ ଦାନ କରିବାର ସୁଯୋଗ ହାତଛଡ଼ା ହେବ ନାହିଁ। କାରଣ ଶ୍ରୀମନ୍ଦିର ପ୍ରଶାସନ ଖୁବଶୀଘ୍ର ଆରମ୍ଭ କରିବାକୁ ଯାଉଛି ଇ-ହୁଣ୍ଡି ବ୍ୟବସ୍ଥା। ଦୀର୍ଘ ଦିନ ଧରି ଦେଶ ଓ ବିଦେଶରେ ରହୁଥିବା ଜଗନ୍ନାଥପ୍ରେମୀ ଭକ୍ତମାନେ ଅନଲାଇନ୍‌ରେ ହୁଣ୍ଡି ଦାନ ବ୍ୟବସ୍ଥା ଲାଗି ଦାବି କରିଆସୁଥିଲେ। ସେହି ଦାବିକୁ ଗୁରୁତ୍ୱ ଦେଇ ଲୋକସେବା ଭବନରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଇ-ହୁଣ୍ଡି ବ୍ୟବସ୍ଥାକୁ କିପରି ସୁରକ୍ଷିତ ଓ ସହଜ କରାଯିବ, ସେନେଇ ବିସ୍ତୃତ ଆଲୋଚନା ହୋଇଛି।

ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଭକ୍ତମାନେ ନିଜ ଜନ୍ମଦିନ, ବିବାହ ବାର୍ଷିକୀ, ସନ୍ତାନଙ୍କ ସଫଳତା କିମ୍ବା ମନସ୍କାମନା ପୂରଣର ଖୁସିରେ ଘରେ ବସି ଅନଲାଇନ୍‌ ମାଧ୍ୟମରେ ଶ୍ରୀମନ୍ଦିର ହୁଣ୍ଡିକୁ ଦାନ କରିପାରିବେ। ଦାନ ରାଶି ଉପରେ ଆୟକର ଛାଡ଼ ସୁବିଧା ମଧ୍ୟ ଉପଲବ୍ଧ ରହିବ। ଭକ୍ତଙ୍କ ଦାନରୁ ଆସୁଥିବା ଅର୍ଥ କେବଳ ଶ୍ରୀମନ୍ଦିରର ବିକାଶ, ସେବା ଓ ପରିଚାଳନା କାର୍ଯ୍ୟରେ ବ୍ୟୟ ହେବ। ସେପଟେ ସାଇବର ଠକେଇକୁ ରୋକିବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଇ-ହୁଣ୍ଡି ବ୍ୟବସ୍ଥା ଆରମ୍ଭ ହେଲେ ବିଶ୍ୱର ଯେକୌଣସି କୋଣରେ ଥିବା ଜଗନ୍ନାଥ ଭକ୍ତ ମହାପ୍ରଭୁଙ୍କ ସହ ନିଜର ଆଧ୍ୟାତ୍ମିକ ସମ୍ପର୍କକୁ ଆହୁରି ମଜବୁତ କରିପାରିବେ। ଭକ୍ତି ଓ ପ୍ରଯୁକ୍ତିର ଏହି ମିଶ୍ରଣ ଶ୍ରୀମନ୍ଦିର ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।