ଆଜି ୪୪ତମ ଦିନରେ ତିନି ରଥରେ ଲାଗିଲା ଦଣ୍ଡା କଣ୍ଟା

ଭୁବନେଶ୍ୱର, ୦୪/୦୬ : ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ର ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଜି ୪୪ତମ ଦିନରେ ପହଞ୍ଚିଛି। ବିଶ୍ୱକର୍ମା ସେବକମାନେ ପ୍ରାତଃ ସମୟରୁ ରଥଖଳାରେ ପହଞ୍ଚି ମୁଖ୍ୟ ମହାରଣାଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଆଜିର ରଥ ଗଢ଼ା କାର୍ଯ୍ୟ ଆରମ୍ଭ କରିଥିଲେ। ଆଜି ମହାପ୍ରଭୁଙ୍କ ତିନି ରଥରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଦଣ୍ଡା କଣ୍ଟା’ ଲାଗିବା କାମ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି।

ଏହାସହିତ ରଥର ଚକ ଉପର ଭାଗରେ ଗରଗରା ଖଞ୍ଜା ଯିବା ସହ କଣ୍ଟା ବାଡ଼ିଆ ଓ ଗୟଳ କାମ ମଧ୍ୟ ଶେଷ ହୋଇଛି। ରଥର ସୁରକ୍ଷା ଓ ଦୃଢ଼ତା ପାଇଁ ‘କଣ୍ଟା ବାଡ଼ିଆ’ କାର୍ଯ୍ୟର ବେଶ୍ ଗୁରୁତ୍ୱ ରହିଛି, ଯାହାଫଳରେ ରଥଟଣା ସମୟରେ ଦଉଡ଼ି ଖସିବା କିମ୍ବା କାଠ ଭାଙ୍ଗିବା ଭଳି ଆଶଙ୍କା ରହିବ ନାହିଁ। ଗତକାଲି ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ଅଖ ଉପରକୁ ଦଣ୍ଡା ଫ୍ରେମ୍ ଉଠିବା ଏବଂ ଦଣ୍ଡା ଗୋଲେଇ କାର୍ଯ୍ୟ ଶେଷ ହୋଇଥିଲା। ଆଜି ଏହି ଦଣ୍ଡାକୁ ଅଖ ସହ ସଂଯୋଗ କରାଯାଇ ଆଗ ମୁହାଁଟରେ ସାଲଗୁଜ ଓ ପଛ ମୁହାଁଟରେ ଜଳଯନ୍ତ୍ର ପକାଯାଇଛି। ଓଝା ସେବକମାନେ ଆଜି ଦଣ୍ଡାରେ କଣ୍ଟା ପକାଇବା ସହ ପୋଟଳ କଣ୍ଟା ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି।

ଅନ୍ୟପଟେ ରଥକୁ ଆକର୍ଷଣୀୟ କରିବା ପାଇଁ ରୂପକାର ସେବକମାନେ ବେଦୀ ସିଂହାସନ ମୁହାଁଟରେ ସୂକ୍ଷ୍ମ ଚିତ୍ର ଖୋଦେଇ କରିବା ସହ ତିନି ରଥର ନାଟ ଗୋଡ଼ରେ ସୁନ୍ଦର ‘ଗନ୍ଧର୍ବ ରୂପ’ ଖୋଦେଇ କରୁଛନ୍ତି। ଏହାସହ ଦୋଳବେଦୀ ପରିସରରେ ମହାରଣାମାନେ ଅଣସର ଓ ରଥଯାତ୍ରା ସମୟରେ ଦେବାଦେବୀଙ୍କ ସେବା ପୂଜା ନୀତି ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ କାଠ ସରଞ୍ଜାମ ନିର୍ମାଣ କାର୍ଯ୍ୟରେ ବ୍ରତୀ ରହିଛନ୍ତି।