ଭୁବନେଶ୍ୱର, ୦୪/୦୬ : ଦେବାଶିଷ ସାମନ୍ତରାୟ ଦଳ ଛାଡ଼ିବା ପରେ ବିଜେଡ଼ିରେ ଇସ୍ତଫା ଝଡ଼ । ପୁଣି କଟକରେ ବିଜେଡି ଛାଡ଼ିଲେ ୩ ନେତା । ଦେବାଶିଷ ସାମନ୍ତରାୟ ଦଳ ଛାଡ଼ି ବିଜେପିରେ ମିଶିବା ପରେ ଜଣକ ପରେ ଜଣେ ନେତା ଏବଂ ସଂଗଠକଙ୍କ ଦଳ ଛାଡ଼ିବା ପ୍ରକିୟା ଆରମ୍ଭ ହୋଇଛି । ଗୋଟିଏ ଦିନରେ ପୂର୍ବତନ ମେୟର ତଥା ବରିଷ୍ଠ ବିଜେଡି ନେତା ମଧୁସୂଦନ ସାହୁ, ପୂର୍ବତନ କର୍ପୋରେଟର ତଥା ଦୃଢ଼ ସଂଗଠକ ରଞ୍ଜନ ବିଶ୍ଵାଳ ଦଳ ଛାଡ଼ିଥିବାବେଳେ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଜ୍ଞାନେନ୍ଦ୍ର ଗିରି ଗୋସ୍ୱାମୀ ମଧ୍ୟ ଦଳ ଛାଡ଼ିଛନ୍ତି । ସେମାନେ ନିଜ ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି । ପୂର୍ବତନ ଡେପୁଟି ମେୟର ମଧୁସୂଦନ ସାହୁ ଅଣଦେଖାର ଶିକାର ହୋଇଥିବା ଅଭିଯୋଗ କରିବା ସହ ମେୟରଙ୍କ ଉପରେ ବର୍ଷିଛନ୍ତି । ଅନ୍ୟପକ୍ଷରେ ମେୟର ସୁବାସ ସିଂ କହିଛନ୍ତି ସେମାନେ ଗଲେ କିଛି ପ୍ରଭାବ ପଡ଼ିବ ନାହିଁ । ଦଳ ଆହୁରି ସୁଦୃଢ଼ ହେବାକୁ ଜୋରଦାର ଚେଷ୍ଟା କରୁଛି ।