ଲୋକସେବା ଭବନରେ ମିଲେଟ ଶକ୍ତି କାଫେ ଓ କୃଷି ସମୀକ୍ଷା କେନ୍ଦ୍ର ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର : ଲୋକସେବା ଭବନରେ ‘ଅକ୍ଷୟ ତୃତୀୟା’ ଅବସରରେ ଏକ ମିଲେଟ୍ ଶକ୍ତି କାଫେ ଓ କୃଷି ସମୀକ୍ଷା କେନ୍ଦ୍ର (ସମନ୍ୱିତ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ ପ୍ରକୋଷ୍ଠ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟ କୃଷି ଏବଂ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଓଡିଶା ସରକାରଙ୍କର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଓଡିଶା ମିଲେଟ୍ସ ମିଶନ ନାମକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଗ୍ରାମାଞ୍ଚଳର କ୍ଷୁଦ୍ର ଓ ନାମମାତ୍ର କୃଷକମାନଙ୍କ ଜୀବନଜୀବିକା ଏବଂ ପୁଷ୍ଟିକର ଖାଦ୍ୟର ସୁରକ୍ଷା କ୍ଷେତ୍ରରେ ମିଲେଟ୍ସର ମହତ୍ତ୍ଵକୁ ଅନୁଧ୍ୟାନ କରି ଓଡ଼ିଶା ସରକାର ଏହି କାର୍ଯ୍ୟକ୍ରମକୁ ରାଜ୍ୟର ୩୦ ଟି ଜିଲ୍ଲାର ୧୭୭ଟି ବ୍ଲକକୁ ସଂପ୍ରସାରିତ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ଭାରତ ସରକାର ଏବଂ ମିଳିତ ଜାତିସଂଘ ଏକ ମଡେଲ୍ ପଦକ୍ଷେପ ଭାବେ ସ୍ଵୀକୃତି ଦେଇଛନ୍ତି। ଆଗାମୀ ଦିନରେ ଏପରି କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ଅନ୍ୟ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି।

ମିଶନ ଶକ୍ତି ଏବଂ ଓଡ଼ିଶା ମିଲେଟ୍ସ ମିଶନର ମିଳିତ ଉଦ୍ୟମରେ ମା ମଙ୍ଗଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ମିଲେଟ୍ ଶକ୍ତି କାଫେଟି ଲୋକ ସେବା ଭବନ ପରିସରରେ ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଉତ୍ପାଦ ଗୁଡିକର ଏକ ବିକ୍ରୟ ପ୍ରତିଷ୍ଠାନ। ଏହି ଉଦ୍ୟୋଗଟି ଲୋକ ସେବା ଭବନ ଏବଂ ଆଖପାଖର ଲୋକଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ ସହାୟକ ହେବ। ଆଗାମୀ ଦିନରେ ରାଜ୍ୟର ପ୍ରମୁଖ ଜିଲ୍ଲା ତଥା ସହରଗୁଡିକରେ ମିଲେଟ୍ ଶକ୍ତି କାଫେ ଅଧିକ ସଂଖ୍ୟାରେ ପ୍ରତିଷ୍ଠା କରିବାକୁ ସରକାର ଯୋଜନା କରୁଛନ୍ତି।

ଏହାସହ ମୁଖ୍ୟମନ୍ତ୍ରୀ ଭାରତର ପ୍ରଥମ କୃଷି ସମୀକ୍ଷା କେନ୍ଦ୍ର ଉଦ୍‌ଘାଟିତ କରିଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବରେ ଓଡ଼ିଶା ଏପରି ଏକ କୃଷି ସମୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରିଛି। ଏହା ହିତାଧିକାରୀଙ୍କୁ ଯୋଜନା ଓ ସେବା ପ୍ରଦାନକୁ ସୁନିଶ୍ଚିତ କରିବା ସହ କୃଷକ ତଥା ସମ୍ପ୍ରସାରଣ କର୍ମଚାରୀଙ୍କୁ ନିୟମିତ ଭାବରେ ଅଗ୍ରଗତି ଯାଞ୍ଚ କରି ଆବଶ୍ୟକ ସମୟରେ ସହାୟତା ଦେବାରେ ସକ୍ଷମ ହେବ। ଏହି କୃଷି ସମୀକ୍ଷା କେନ୍ଦ୍ର ଗୁଣାତ୍ମକ ଉତ୍ପାଦନ ସାମଗ୍ରୀ ଯୋଗାଣ ସହ କୀଟନାଶକ, ରୋଗ ପରିଚାଳନା ଓ କୃଷକମାନଙ୍କୁ ସମ୍ପ୍ରସାରଣ ସେବା ପ୍ରଦାନ କରିବା କାର୍ଯ୍ୟ ଉପରେ ଧ୍ୟାନ ଦେବ। ଅକ୍ଷୟ ତୃତୀୟା ଏବଂ କୃଷକ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ମହିଳା ଏବଂ କୃଷକମାନଙ୍କ ପାଇଁ ବିଶେଷ ସହାୟକ ହେବ।

SBI AD
Leave A Reply

Your email address will not be published.