ନା ଡାକ୍ତର ରେ ଭଙ୍ଗା ଛାତ ତଳେ ଚାଲିଛି ବିଜୟନଗର ପିଏଚସି ରେ ରୋଗୀ ସେବା

ମହାକାଳପଡ଼ା, ୧୯/୦୯ : ଇଂରେଜ ଶାସନ କାଳରୁ ଗୋବରୀ ନଦୀ ତଟବର୍ତ୍ତୀ ବିଜୟନଗର, ଦେଉଳପଡା, ବଳିପାଳ, ବଢିହ, ଗୋଗୁଆ ,ସୁନୀତି ଓ କଂସାର ବଡଦାଣ୍ଡୁଆ ପଞ୍ଚାୟତର ଚାଷୀ ମୂଲିଆ ଗରିବ ଖଟିଖିଆ ଲୋକଙ୍କ ଚିକିତ୍ସା ନିମନ୍ତେ ଗଢି ଉଠିଥିବା ବିଜୟନଗର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ପିଏଚସି ) ର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡୁଛି ।ଯଦିଓ ଏହି ସ୍ବାସ୍ଥ୍ୟକେନ୍ଦ୍ରର ସାମାନ୍ଯ ପଦୋନ୍ନତି ହୋଇଛି ହେଲେ ଏହାର ମୌଳିକ ସୁବିଧାସୁଯୋଗ ରୁ ବଂଚିତ ରହିଛି । ଏଲୋପ୍ୟାଥୀ ଡାକ୍ତର ନ ଥିବା ବେଳେ କାର୍ଯ୍ୟରତ ଆୟୁଷ ଡାକ୍ତର ନିୟମିତ ଆସୁନାହାନ୍ତି l ଆହୁରି ମଧ୍ୟ ଫାର୍ମାସିଷ୍ଟ ନଥିବାରୁ ମଧୁମେହ , ପ୍ରୋଷ୍ଟେଟ, ଶିଶୁ ଔଷଧ ଆଦି ଏଠାରେ ମିଳେ ନାହିଁ। ଡାକ୍ତର କିମ୍ବା କର୍ମଚାରୀଙ୍କ ବାସଗୃହ ନଥିବା ସ୍ଥଳେ ପୁରୁଣା ଏଏନଏମ ଓ ଏଲଏଚଭି କ୍ବାଟର ରେ କବାଟ ଝରକା, ଶୌଚାଳୟ, ଜଳ ଓ ବିଜୁଳି ଯୋଗାଣ କିଛି ନହିଁ।ଡାକ୍ତର ଖାନା ଗୃହର ଛାତରୁ ଚାରି ଆଡେ ପାଣି ଗଳୁଥିବାରୁ ପରିବେଶ ଅତ୍ୟନ୍ତ ଅପରିଷ୍କାର ଓ ପୂତିଗନ୍ଧମୟ।ଇନଡୋର ରୋଗୀଙ୍କ ପାଇଁ ଗୋଟିଏବି ହେଲେ ଶଯ୍ୟା ନାହିଁ।ଦୁଇଟି ରୋଗୀଙ୍କ ପାଇଁ ଉଦିଷ୍ଟ କୋଠରୀ ରୁ ଗୋଟିଏ ଆବର୍ଜନାର ଷ୍ଟୋର ଓ ଅନ୍ୟଟି ପାଣି ଗଳି ଅସ୍ବାସ୍ଥ୍ୟକର। ଗୋଟିଏ ନୂତନ ଗୃହ କାର୍ଯ୍ୟ ଅସଂପୂର୍ଣ୍ଣ ହୋଇ ଦୀର୍ଘ ଦିନ ହେବ ପଡି ରହିଛି। ପୂର୍ବତନ ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ,ବିଧାୟକ ଏବଂ ବିଭାଗୀୟ ସ୍ବାସ୍ଥ୍ଯ ପଦାଧିକାରୀଙ୍କୁ ବାରମ୍ବାର ଲିଖିତ ଅନୁରୋଧ କଲେ ମଧ୍ଯ ଫଳ ଶୂନ।ବୋଧହୁଏ ଏହି ଅଂଚଳର ଲୋକମାନେ ଓଡିଶା ସରକାରଙ୍କର ସାବତ ପୁଅ।ଯେତେ ଦୃଷ୍ଟି ଆକର୍ଷଣ କଲେ ମଧ୍ଯ ବିଭାଗ ନିଦା ବିଷ୍ନୁ କାହିଁକି! ସ୍ବାସ୍ଥ୍ୟକେନ୍ଦ୍ର ଗୃହ,, ଫାର୍ମାସିଷ୍ଟ ,ଡାକ୍ତର ଓ ସହଯୋଗୀ କର୍ମଚାରୀଙ୍କ ନିଯୁକ୍ତି ସହିତ ସେମାନଙ୍କ ପାଇଁ ବାସଗୃହ ନିର୍ମାଣହେବାର ଜରୁରୀ ଆବଶ୍ୟକତା ରହିଛି l ପିଏଚସିରେ ସମସ୍ତ ରୋଗର ଔଷଧ ଯୋଗାଣ , ରୋଗୀଙ୍କ ଚିକିତ୍ସା ପାଇଁ ଶଯ୍ୟା ପାଇଖାନା ଓ ଜଳ ଯୋଗାଣ ଆଦି ମୌଳିକ ସୁବିଧାସୁଯୋଗ ଯୋଗାଇ ଦେବାକୁ ଅଂଚଳର ବାସୀ ଦାବୀ କରନ୍ତି। ଯଦି ବୈମାତୃକ ଭାବ ପୂର୍ବବତ ଚାଲୁ ରହେ ତେବେ ଆଗାମୀ ସମୟରେ ସରକାର ତାର ପରାଭବ ଭୋଗିବାକୁ ବାଧ୍ଯ ହେବେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ କହନ୍ତି l