ରାଜ୍ୟରେ ୫୦ରୁ ଅଧିକ ସ୍ଥାନର ବଦଳିବ ନାମ ପରିବର୍ତ୍ତନ

ଭୁବନେଶ୍ଵର, ୦୫/୦୬ :ରାଜ୍ୟ​‌ରେ ବିଭିନ୍ନ ଜିଲ୍ଲା, ଜିଲ୍ଲା ସଦର ମହକୁମା, ଉପଖଣ୍ଡ, ବ୍ଲକ ଓ ତହସିଲର ତ୍ରୁଟିପୂର୍ଣ୍ଣ ଇଂରାଜୀ ନାମ ହେବ ସଂଶୋଧନ। ଓଡ଼ିଆ ନାମ ସଂଶୋଧନ ଦିଗରେ ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ଗଠିତ ବିଶେଷଜ୍ଞ କମିଟିର ଦ୍ୱିତୀୟ ବୈଠକରେ ୫୦ରୁ ଅଧିକ ସ୍ଥାନର ନାମକୁ ସେମାନଙ୍କର ମୂଳ ଓଡ଼ିଆ ଉଚ୍ଚାରଣ ଓ ଐତିହାସିକ ପରିଚୟ ଅନୁଯାୟୀ ପରିବର୍ତ୍ତନ କରିବାକୁ ସୁପାରିସ କରାଯାଇଛି। ପଦ୍ମଭୂଷଣ ଡ. ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଆ ଭାଷା, ଇତିହାସ, ଭୂଗୋଳ ଓ ପ୍ରଶାସନ କ୍ଷେତ୍ରର ବିଶେଷଜ୍ଞମାନେ ଯୋଗ ଦେଇଥିଲେ। ସାଧାରଣ ଲୋକ ଓ ଜନପ୍ରତିନିଧିମାନଙ୍କ ପ୍ରସ୍ତାବକୁ ଐତିହାସିକ ଓ ସାଂସ୍କୃତିକ ଭିତ୍ତିରେ ସମୀକ୍ଷା କରି ଏହି ନିଷ୍ପତ୍ତି ନିଆଯାଇଛି।

ବିଶେଷଜ୍ଞ କମିଟିର ସୁପାରିସ୍ ସମ୍ପର୍କରେ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଚିଠି ଲେଖି ଅବଗତ କରିଛି ରାଜସ୍ୱ ବିଭାଗ। ରାଜ୍ୟର ବିଭିନ୍ନ ସହର ଓ ସ୍ଥାନର ନାମର ଇଂରାଜୀ ବନାନକୁ ସଂଶୋଧନ କରି ମୂଳ ଓଡ଼ିଆ ନାମର ପୁନଃସ୍ଥାପନ ନିମନ୍ତେ ରାଜ୍ୟର ବିଜେପି ସରକାର ଏହି ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିଥିଲେ। କମିଟିର ସୁପାରିସ ଅନୁଯାୟୀ କଳାହାଣ୍ଡି ଜିଲ୍ଲାର ‘Junagarh’କୁ ‘ଜୁନାଗଡ଼ା’, Kandhamalକୁ ‘କନ୍ଧମାଳ’ ଏବଂ ସୁନ୍ଦରଗଡ଼ ଜିଲ୍ଲାର ‘Bonaigarh’କୁ ‘ବଣାଇଗଡ଼ା’ ଭାବେ ନାମକରଣ କରିବାକୁ ପ୍ରସ୍ତାବ ରହିଛି। ସେହିପରି ‘Nimapara’ ହେବ ‘ନିମାପଡ଼ା’, ‘Umerkote’ ହେବ ‘ଉମରକୋଟ’, ‘Boudhgarh’ ହେବ ‘ବୌଦ୍ଧଗଡ଼ା’, ‘Rourkela’ ହେବ ‘ରାଉରକେଲା’, ‘Talcher’ ହେବ ‘ତାଳଚେର’ ଏବଂ ‘Soro’ ହେବ ‘ସୋରା’।

ତାଲିକାରେ ଗଞ୍ଜାମ ଜିଲ୍ଲାର ବହୁ ଗୁରୁତ୍ୱପୂର୍ଣ୍ଣ ସହର ଓ ବ୍ଲକ୍ର ନାମ ମଧ୍ୟ ରହିଛି। ‘Berhampur’କୁ ‘ବ୍ରହ୍ମପୁର’, ‘Hinjilicut’କୁ ‘ହିଞ୍ଜିଳିକାଟୁ’, ‘Aska’କୁ ‘ଆସିକା’ ଏବଂ ‘Surada’କୁ ‘ସୋରଡ଼ା’ କରିବାକୁ ସୁପାରିସ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ‘Kendrapara’କୁ ‘କେନ୍ଦ୍ରାପଡ଼ା’, ‘Aul’କୁ ‘ଆଳି’ ଓ ‘Mahakalapada’କୁ ‘ମହାକାଳପଡ଼ା’ କରିବା ପ୍ରସ୍ତାବ ରହିଛି। ଖୋର୍ଦ୍ଧା ଜିଲ୍ଲାର ‘Khurda’କୁ ‘ଖୋର୍ଦ୍ଧା’, ‘Bolagarh’କୁ ‘ବୋଲଗଡ଼’, ‘Jatni’କୁ ‘ଜଟଣୀ’ ଏବଂ କୋରାପୁଟର ‘Jeypore’କୁ ‘ଜୟପୁର’ କରିବା ପାଇଁ ସୁପାରିସ କରାଯାଇଛି। ଅନୁଗୋଳ ଜିଲ୍ଲାର ଅନୁଗୋଳକୁ ‘ANUGOLA’ ଓ ପାଳଲହଡାକୁ ‘PALALAHADA’ କରାଯିବ। ବଲାଙ୍ଗୀର ଜିଲ୍ଲାର ବଲାଙ୍ଗୀରକୁ ‘BALANGIR’ ଓ ବଙ୍ଗୋମୁଣ୍ଡାକୁ ‘BANGOMUNDA’ ଲେଖାଯିବ। ବାଲେଶ୍ୱର ଜିଲ୍ଲାର ବାଲେଶ୍ୱରକୁ ‘BALESHWAR’ ଓ ନୀଳଗିରିକୁ ‘NILAGIRI’ କରାଯିବ। ସେହିପରି ଦେବଗଡ଼ ଜିଲ୍ଲାର ଦେବଗଡକୁ ‘DEBAGADA’ ଓ ରିଆମାଳକୁ ‘RIAMAL’ କରାଯିବ। କେନ୍ଦୁଝର ଜିଲ୍ଲାର କେନ୍ଦୁଝରକୁ ‘KENDUJHAR’, ବଡ଼ବିଲକୁ ‘BADABIL’ ଏବଂ କେନ୍ଦୁଝରଗଡ଼କୁ ‘KENDUJHARGADA’ ନାମ ଦିଆଯିବ।