ପୁଣି ବିଗ ବି ଅମିତାଭ ବଚ୍ଚନଙ୍କୁ ବୋମା ଧମକ, ସୁରକ୍ଷା କଡ଼ାକଡ଼ି

ନୂଆଦିଲ୍ଲୀ, ୨୬/୧୧ : ପୁଣି ବିଗ ବି ଅମିତାଭ ବଚ୍ଚନଙ୍କୁ ବୋମା ଧମକ । ଅମିତାଭ ବଚ୍ଚନଙ୍କ ଜୁହୁ ସ୍ଥିତ ବଙ୍ଗଳା ‘ଜଲସା’ ଏବଂ ମୁମ୍ବାଇ ମେୟରଙ୍କ କାର୍ଯ୍ୟାଳୟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି । ବୃହନମୁମ୍ବାଇ ମହାନଗର ନିଗମ – BMC ପାଖକୁ ନୂଆ ଧମକପୂର୍ଣ୍ଣ ଇମେଲ୍ ଆସିଛି । ନଭେମ୍ବର ୨୭ରୁ ଡିସେମ୍ବର ୨୧ ମଧ୍ୟରେ ‘ଜଲସା’ ଉପରେ ଆକ୍ରମଣ କରାଯିବ ବୋଲି ଧମକ ଦିଆଯାଇଛି। ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ବାର୍ଷିକୀ ଅବସରରେ ଏହି ଧମକପୂର୍ଣ୍ଣ ବାର୍ତ୍ତା ଆସିଥିବାରୁ ସୁରକ୍ଷା ଏଜେନ୍ସିଗୁଡ଼ିକ ସମଗ୍ର ସହରରେ ସତର୍କତା ବଢ଼ାଇ ଦେଇଛନ୍ତି । ମୁମ୍ବାଇ ମେୟର ରିତୁ ତାୱଡେ ଏବଂ ମ୍ୟୁନିସିପାଲ କମିଶନର ଅଶ୍ୱିନୀ ଭିଡେଙ୍କ କାର୍ଯ୍ୟାଳୟକୁ ପଠାଯାଇଥିବା ଇମେଲରେ ‘ଜଲସା’, ବିଏମସି ମୁଖ୍ୟାଳୟ ଏବଂ ମେୟରଙ୍କ କାର୍ଯ୍ୟାଳୟକୁ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି।

ଅନ୍ୟ କିଛି ରିପୋର୍ଟ ଅନୁଯାୟୀ, ଏହି ବାର୍ତ୍ତାରେ ମୁମ୍ବାଇ ମେଟ୍ରୋ ଷ୍ଟେସନ ଏବଂ ମୁମ୍ବାଇ ବିମାନବନ୍ଦରକୁ ମଧ୍ୟ ସମ୍ଭାବ୍ୟ ଟାର୍ଗେଟ୍ ଭାବେ ଉଲ୍ଲେଖ କରାଯାଇଛି। ଏହି ଇମେଲରେ ଗ୍ରେନେଡ୍ ଏବଂ ଆଇଇଡି ଆକ୍ରମଣର ଚେତାବନୀ ଦିଆଯିବା ସହ ଖଲିସ୍ତାନ ସମର୍ଥକ ସ୍ଲୋଗାନ, ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଏବଂ ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ବିଷୟରେ ଉଲ୍ଲେଖ ରହିଛି। ମୁମ୍ବାଇ ପୋଲିସ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ତୁରନ୍ତ ଉକ୍ତ ସ୍ଥାନଗୁଡ଼ିକରେ ତଲାସୀ ଓ ସୁରକ୍ଷା ଯାଞ୍ଚ କରିଛନ୍ତି। କିନ୍ତୁ କୌଣସି ସନ୍ଦେହଜନକ ବସ୍ତୁ ମିଳିନାହିଁ। ଏହି ଇମେଲ୍ କେଉଁଠାରୁ ଆସିଛି, ସେନେଇ ସାଇବର କ୍ରାଇମ ୟୁନିଟ୍ ତଦନ୍ତ ଚଳାଇଛି। କିଛି ଦିନ ପୂର୍ବରୁ ବିଗ ବିଙ୍କୁ ବୋମା ଧମକ ମିଳିଥିଲା।