ନୂଆଦିଲ୍ଲୀ ୨୬/୧୧ : ସମ୍ବିଧାନ ଗ୍ରହଣକୁ ପୂରିଲା ୭୭ ବର୍ଷ । ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭାତୃତ୍ୱର ଆଦର୍ଶକୁ ସ୍ମରଣ କରୁଛି ଦେଶ । ପ୍ରତିବର୍ଷ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ବା ଜାତୀୟ ଆଇନ ଦିବସ ଭାବେ ପାଳନ କରାଯାଏ । ୧୯୪୯ ମସିହା ଆଜିର ଦିନରେ ସମ୍ବିଧାନ ସଭା ଭାରତୀୟ ସମ୍ବିଧାନକୁ ଗ୍ରହଣ କରିଥିଲା । ପରବର୍ତ୍ତୀ ସମୟରେ ୧୯୫୦ ଜାନୁଆରୀ ୨୬ରେ ସମ୍ବିଧାନ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇଥିଲା । ସମ୍ବିଧାନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏକ ବାର୍ତ୍ତା ଲେଖିଛନ୍ତି । ଭାରତୀୟ ସମ୍ବିଧାନର ପ୍ରମୁଖ ସ୍ଥପତି ଡକ୍ଟର ବି.ଆର୍. ଆମ୍ବେଦକରଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନ ଅବସରରେ ୨୦୧୫ରେ କେନ୍ଦ୍ର ସରକାର ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ । ନାଗରିକଙ୍କ ମଧ୍ୟରେ ସାମ୍ବିଧାନିକ ମୂଲ୍ୟବୋଧ ଓ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଭାରତୀୟ ସମ୍ବିଧାନ ପ୍ରସ୍ତୁତ କରିବାକୁ ୨ ବର୍ଷ, ୧୧ ମାସ ଓ ୧୮ ଦିନ ସମୟ ଲାଗିଥିଲା । ଡକ୍ଟର ରାଜେନ୍ଦ୍ର ପ୍ରସାଦ ସମ୍ବିଧାନ ସଭାର ସଭାପତି ଥିବାବେଳେ ଡକ୍ଟର ବି.ଆର୍. ଆମ୍ବେଦକର ସମ୍ବିଧାନ ଚିଠା ପ୍ରସ୍ତୁତି କମିଟିର ଅଧ୍ୟକ୍ଷ ଥିଲେ । ମୂଳ ସମ୍ବିଧାନରେ ୩୯୫ଟି ଅନୁଚ୍ଛେଦ, ୨୨ଟି ଭାଗ ଓ ୮ଟି ଅନୁସୂଚୀ ରହିଥିଲା ।
ବିଶ୍ୱର ଦୀର୍ଘତମ ଲିଖିତ ଜାତୀୟ ସମ୍ବିଧାନ ହେଉଛି ଭାରତୀୟ ସମ୍ବିଧାନ । ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭାତୃତ୍ୱ ହେଉଛି ଏହାର ମୂଳ ଆଦର୍ଶ । ସମ୍ବିଧାନ ଦେଶର ନାଗରିକଙ୍କୁ ମୌଳିକ ଅଧିକାର ପ୍ରଦାନ କରିବା ସହ ମୌଳିକ କର୍ତ୍ତବ୍ୟ ସମ୍ପର୍କରେ ମଧ୍ୟ ସଚେତନ କରାଏ । ସମ୍ବିଧାନ ଦିବସ ଅବସରରେ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସଂସ୍ଥାରେ ସାଧାରଣତଃ ସମ୍ବିଧାନର ପ୍ରସ୍ତାବନା ପାଠ, ଆଲୋଚନାଚକ୍ର ଏବଂ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଏ । ସମ୍ବିଧାନ କେବଳ ଏକ ଆଇନଗତ ଦସ୍ତାବିଜ ନୁହେଁ, ଏହା ଭାରତୀୟ ଗଣତନ୍ତ୍ରର ମୂଳ ଭି ତ୍ତି। ସମ୍ବିଧାନର ମର୍ଯ୍ୟାଦା ରକ୍ଷା, ସାମ୍ବିଧାନିକ ମୂଲ୍ୟବୋଧର ପାଳନ ଏବଂ ନିଜ କର୍ତ୍ତବ୍ୟ ପ୍ରତି ସଚେତନ ରହିବାର ବାର୍ତ୍ତା ଦେଉଛି ଆଜିର ଦିନ ।