ନୂଆଦିଲ୍ଲୀ, ୨୬/୧୧ : ଚଳିତ ବର୍ଷ ଅଗଷ୍ଟ ମାସରେ ତ୍ରିଶୁଳି-ଭୋଟେ କୋଶି ନଦୀରେ ଆସିଥିବା ବନ୍ୟାରେ ନିଖୋଜ ହୋଇଥିବା ୨୧୩ ଜଣ ଭାରତୀୟ ନାଗରିକଙ୍କୁ ମୃତ ଘୋଷଣା କରିବା ପାଇଁ ନେପାଳ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ ଭାରତୀୟ ଦୂତାବାସ କହିଛି। ଜାତୀୟ ବିପର୍ୟ୍ୟୟ ବିପଦ ହ୍ରାସ ଏବଂ ପରିଚାଳନା ପ୍ରାଧିକରଣ (ଏନଡିଆରଆରଏମଏ) ଏହାର ୱେବସାଇଟରେ ନିଖୋଜ ଭାରତୀୟଙ୍କ ତାଲିକା ପ୍ରକାଶ କରିଛି।ଏନଡିଆରଆରଏମଏ ଏହି ତାଲିକାରେ ନାମ ଯୋଡିବା, ନାମ ହଟାଇବା କରିବା କିମ୍ବା ସଂଶୋଧନ ପାଇଁ ଆପତ୍ତି ଆମନ୍ତ୍ରଣ କରିଛି। ନିଖୋଜ ଭାରତୀୟଙ୍କ ପରିବାରବର୍ଗଙ୍କୁ ଯୋଗାଯୋଗ କରିବାକୁ ଭାରତୀୟ ଦୂତାବାସ ଅନୁରୋଧ କରିଛି। ଡିସେମ୍ବର ୨ ପୂର୍ବରୁ ଏନେଇ ଭାରତୀୟ ଦୂତାବାସ ସହିତ ସେମାନେ ଯୋଗାଯୋଗ କରି ପ୍ରସ୍ତାବିତ ପରିବର୍ତ୍ତନ ବିଷୟରେ ଦୂତାବାସକୁ ଜଣାଇପାରିବେ। ଦୂତାବାସ ପକ୍ଷରୁ ଇମେଲ୍ ଠିକଣା ଏବଂ ମୋବାଇଲ୍ ଫୋନ୍ ନମ୍ବର ମଧ୍ୟ ଜାରି କରାଯାଇଛି। ମତାମତ ଏବଂ ସଂଶୋଧନ ପ୍ରକ୍ରିୟା ସମାପ୍ତ ହେବା ପରେ ନେପାଳ ସରକାର ତାଲିକା ଚୂଡ଼ାନ୍ତ କରିବେ ଏବଂ ଆନୁଷ୍ଠାନିକ ଭାବରେ ଏକ ମୃତ୍ୟୁ ତାଲିକା ଘୋଷଣା କରିବେ। ଦୂତାବାସ ନେପାଳର ସ୍ଥାନୀୟ କର୍ତ୍ତୃପକ୍ଷଙ୍କଠାରୁ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ପାଇଁ ମୃତ୍ୟୁ ପ୍ରମାଣପତ୍ର ପାଇବ। ଏହି ପ୍ରକ୍ରିୟା ସମୟରେ ଦୂତାବାସ ନିଖୋଜ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କଠାରୁ ଅତିରିକ୍ତ ବିବରଣୀ ଏବଂ ଡକ୍ୟୁମେଣ୍ଟ ଅନୁରୋଧ କରିବେ। ଆଗାମୀ ଦିନରେ ଦୂତାବାସ ଏ ସମ୍ପର୍କରେ ଆବଶ୍ୟକ ଅପଡେଟ୍ ପ୍ରଦାନ କରିବ। ଅଗଷ୍ଟ ୨୬ ତାରିଖରେ ଘଟିଥିବା ଭୟଙ୍କର ବନ୍ୟାରେ ୧,୪୫୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଜାତୀୟ ବିପର୍ୟ୍ୟୟ ପ୍ରତିକ୍ରିୟା ବାହିନୀ (ଏନହିଆରଏଫ) ଅନୁଯାୟୀ, ୫,୦୦୦ ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଭୋଟେ କୋଶି ନଦୀ ହିମାଳୟ ସୀମାନ୍ତ ଅଞ୍ଚଳରୁ ଦକ୍ଷିଣକୁ ପ୍ରବାହିତ ହେଉଛି। ଫଳରେ ବନ୍ୟା ଜଳକୁ ତଳିଆ ଅଞ୍ଚଳ ଆଡ଼କୁ ପ୍ରବାହିତ ହୋଇ ଘର, ଯାନବାହାନ, ରାସ୍ତା ଏବଂ ସେତୁକୁ ଭସାଇ ନେଇଥିଲା ଏବଂ ଜଳବିଦ୍ୟୁତ ପ୍ରକଳ୍ପଗୁଡ଼ିକୁ କ୍ଷତି ପହଞ୍ଚାଇଥିଲା।