ଭୁବନେଶ୍ୱର,୨୦/୪ : ଅକ୍ଷୟ ତୃତୀୟା ଅବସରରେ ଲୋକସେବା ଭବନ ପରିସରରେ ଖୋଲିବାକୁ ଯାଉଛି ‘ମିଲେଟ୍ ଶକ୍ତି କାଫେ’। ଲୋକସେବା ଭବନକୁ ଆସୁଥିବା କର୍ମଚାରୀ ଏବଂ ପରିଦର୍ଶକଙ୍କ ମଧ୍ୟରେ ପୁଷ୍ଟିଶସ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ବୋଲି ଜଣାପଡ଼ିଛି। ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟକୁ ଅଧିକରୁ ଅଧିକ ବ୍ୟାପକ କରିବା ପାଇଁ ‘ଓଡ଼ିଶା ମିଲେଟ୍ସ ମିଶନ’ ପକ୍ଷରୁ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ଼, କେନ୍ଦୁଝର, ପୁରୀ ଗୋଲ୍ଡେନ ବିଚ୍ ଏବଂ କଟକ ବାରବାଟୀ ପ୍ୟାଲେସଠାରେ ମିଲେଟ୍ ଶକ୍ତି କାଫେ ଖୋଲାଯାଇଛି। ଚାହିଦାକୁ ଦୃଷ୍ଟିରେ ରଖି ଏବେ ଭୁବନେଶ୍ୱରର ଲୋକସେବା ଭବନ ପରିସରରେ ଆଉ ଏକ ମିଲେଟ୍ ଶକ୍ତି କାଫେ ସ୍ଥାନ ପାଇବ। ଯେଉଁଠାରେ ପୁଷ୍ଟିଶସ୍ୟ ଭିତ୍ତିକ ଖାଦ୍ୟ ଉପଲବ୍ଧ ହେବ। ପୁଷ୍ଟିଶସ୍ୟର ବ୍ୟାପକ ପ୍ରଚାର ଏବଂ ଜନ ସଚେତନତା ଦିଗରେ ବିଶେଷ ଗୁରୁତ୍ୱ ଦିଆଯିବା ସହ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମଧ୍ୟ ଏଥିରୁ ବେଶ୍ ଉପକୃତ ହୋଇପାରିବେ ବୋଲି ମିଲେଟ୍ ମିଶନ୍ ପକ୍ଷରୁ କୁହାଯାଇଛି।