ପିଡିପିକୁ ଝଟକା : ମେହବୁବାଙ୍କୁ ବିରୋଧ କରି ଇସ୍ତଫା ଦେଲେ ଦଳର ୩ ନେତା

ଶ୍ରୀନଗର, ୨୬/୧୦ : ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ତରଫରୁ ଜାତୀୟ ପତାକା ପ୍ରତି ଦିଆଯାଇଥିବା ଅପମାନଜନକ ବୟାନକୁ ବିରୋଧ କରି ପିଡିପିର ୩ ନେତା ଦଳ ଛାଡିଛନ୍ତି । ପିଡିପି ନେତା ଟିଏସ ବାଜଓ୍ୱା, ବେଦ୍ ମହାଜନ୍ ଓ ହୁସେନ୍ ଏ ବଫକ୍କା ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ଏହି ନେତାମାନେ ମୁଫତିଙ୍କୁ ପତ୍ର ଲେଖି କହିଛନ୍ତି ଯେ, ତାଙ୍କର କିଛି କାର୍ଯ୍ୟ ଓ ବୟାନ ଅସହଜ ମନେ ହେଉଛି । ଯାହା ଦେଶଭକ୍ତିର ଭାବନାକୁ ଆଘାତ ପହଁଚାଇଛି ।

ସେମାନେ ଇସ୍ତଫାପତ୍ରରେ ଲେଖିଛନ୍ତି, ମେହବୁବା ବେଳେ ବେଳେ ଏମିତି କଥା ଓ କାମ କରୁଛନ୍ତି ଯେ ଯାହା ସେମାନଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରୁଛି। ବିଶେଷ କରି ଦେଶ ଉପରେ ସେ କରୁଥିବା ଟିପ୍ପଣୀ ସେମାନଙ୍କୁ ଦେଶଭକ୍ତିକୁ ଅଡ଼ୁଆରେ ପକାଉଛି। ଏହି କାରଣରୁ ସେମାନେ ଇସ୍ତଫା ଦେଉଥିବା କହିଛନ୍ତି।

ନିକଟରେ ମେହବୁବା କହିଥିଲେ ଯେ ଜମ୍ମୁ-କଶ୍ମୀରରେ ଧରା ୩୭୦ ଲାଗୁ ନ ହେବା ଯାଏ ତ୍ରିରଙ୍ଗାକୁ ମାନିବେ ନାହିଁ, ତାଙ୍କ ଦଳ କିମ୍ବା ସେ ଦେଶର ଜାତୀୟ ପତାକା ଉଡ଼ାଇବେ ନାହିଁ। ଏହାକୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି।