ନୂଆଦିଲ୍ଲୀ, ୧୮/୦୪ : ବଢ଼ିଲା ରାହୁଲ ଗାନ୍ଧୀଙ୍କ ଅଡ଼ୁଆ । ରାହୁଲ ଗାନ୍ଧୀଙ୍କ ବିରୋଧରେ FIR ପାଇଁ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ । ବ୍ରିଟିଶ ନାଗରିକତା ରଖିଥିବା ଅଭିଯୋଗରେ କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି ଆଲାହାବାଦ ହାଇକୋର୍ଟ । ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ ରାହୁଲଙ୍କ ବିରୋଧରେ ଏଫ୍ ଆଇଆର୍ ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ସୁଭାଷ ବିଦ୍ୟାର୍ଥୀ, କର୍ଣ୍ଣାଟକ ବିଜେପି କର୍ମୀ ଏସ୍. ବିଘ୍ନେଶ ଶିଶିରଙ୍କ ଦ୍ୱାରା ଦାୟର ହୋଇଥିବା ଏକ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲା ରୁଜୁ କରିବାକୁ କୋର୍ଟ କହିଛନ୍ତି । ଏହି ଘଟଣାର ତଦନ୍ତ ରାଜ୍ୟ ସରକାର ନିଜେ କରିପାରିବେ କିମ୍ବା କେନ୍ଦ୍ର ସରକାର ଅଥବା CBI କୁ ହସ୍ତାନ୍ତର କରିପାରିବେ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ଆବେଦନକାରୀ ଅଭିଯୋଗ କରିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ପାଖରେ ଭାରତୀୟ ନାଗରିକତା ସହ ବ୍ରିଟିଶ ନାଗରିକତା ମଧ୍ୟ ରହିଛି । ଭାରତୀୟ ନିୟମ ଅନୁଯାୟୀ, ଜଣେ ବ୍ୟକ୍ତି ଏକାସାଙ୍ଗରେ ଦୁଇଟି ଦେଶର ନାଗରିକ ହୋଇ ରହିପାରିବେ ନାହିଁ । ଯଦି ଏହା ସତ ପ୍ରମାଣିତ ହୁଏ, ତେବେ ରାହୁଲ ଗାନ୍ଧୀ ସାଂସଦ ପଦ ପାଇଁ ଅଯୋଗ୍ୟ ହୋଇପାରନ୍ତି । ୨୦୧୯ରେ ଗୃହ ମନ୍ତ୍ରଣାଳୟ ମଧ୍ୟ ଏହି ବିଷୟରେ ତାଙ୍କୁ ନୋଟିସ୍ ଦେଇଥିଲା । କୋର୍ଟ କହିଛନ୍ତି, ଏବେ କେବଳ ତଦନ୍ତ ପାଇଁ FIR ନିର୍ଦ୍ଦେଶ ଦିଆଯାଇଛି । ଅଭିଯୋଗ ସତ କି ମିଛ ସେ ନେଇ କୋର୍ଟ କୌଣସି ନିଷ୍ପତ୍ତି ଶୁଣାଇ ନାହାନ୍ତି । ଖୁବଶୀଘ୍ର ରାୟବରେଲି ପୋଲିସ ମାମଲା ରୁଜୁ କରି କାଗଜପତ୍ରର ଯାଞ୍ଚ କରିବ । ଏହି ଘଟଣାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।