ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ବନ୍ଦ ପାଇଁ ଚୀନ୍‌ର ପ୍ରସ୍ତାବକୁ ରୁଷ୍‌ର ସ୍ବାଗତ

ବେଜିଂ ୨୩/୦୩ : ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ଚୀନ୍‌ ତରଫରୁ ପ୍ରସ୍ତାବ ଦିଆଯାଇଛି। ଚୀନ୍‌ର ଏହି ପ୍ରସ୍ତାବକୁ ରୁଷ୍‌ ପକ୍ଷରୁ ସ୍ବାଗତ କରାଯାଇଛି। ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ରୁଷ୍ ଗସ୍ତରେ ଯାଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଯୁଦ୍ଧ ବନ୍ଦ ପାଇଁ ଆଲୋଚନା କରିଥିଲେ। ବାର୍ତ୍ତାଳାପ ଦ୍ବାରା ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ବନ୍ଦ କରାଯାଇ ପାରିବ ବୋଲି ବିବୃତିରେ ଦର୍ଶାଯାଇଛି।
ୟୁକ୍ରେନ୍‌ ସହ ଯୁଦ୍ଧ ବନ୍ଦ କରିବାକୁ ଚୀନ୍ ଯେଉଁ ଗଠନମୂଳକ ପରାମର୍ଶ ଦର୍ଶାଯାଇଛି ତାହାକୁ ରୁଷ୍‌ ତରଫରୁ ସ୍ବାଗତ କରାଯାଇଛି। ଏହି ଯୁଦ୍ଧରୁ ଅନ୍ୟ କୌଣସି ଦେଶ ବା ଗୋଷ୍ଠୀ ଯେପରି କୌଣସି ଅନୁଚିତ୍‌ ଲାଭ ଉଠାଇ ନ ପାରିବେ ସେଥିପ୍ରତି ଦୃଷ୍ଟି ରଖାଯିବା ଉଚିତ୍‌ ବୋଲି ବିବୃତରେ ଉଲ୍ଲେଖ କରାଯାଇଛି।

ରାଷ୍ଟ୍ରର ସୁରକ୍ଷା ପ୍ରତି ଗୁରୁତ୍ବ ପ୍ରଦାନ କରାଯିବା ସହ କୌଣସି ଗୋଷ୍ଠୀ ଦୁଇ ଦେଶ ମଧ୍ୟରେ ବିବାଦ ସୃଷ୍ଟି କରାଇବାରୁ ଦୂରେଇ ରହିବା ଉଚିତ୍‌ ବୋଲି ବିବୃତିରେ ଦର୍ଶାଯାଇଛି। ୟୁକ୍ରେନ୍‌ ସହ ଯୁଦ୍ଧକୁ ନେଇ ଆମେରିକା, ୟୁରୋପର ଏକାଧିକ ଦେଶ, ଜାପାନ ପ୍ରମୁଖ ଦେଶଙ୍କ ତରଫରୁ ରୁଷ୍‌ ଉପରେ ଅର୍ଥନୈତିକ ପ୍ରତିବନ୍ଧକ ଲଗାଇଥିବାରୁ ତାହାକୁ ମିଳିତ ବିବୃତିରେ ନାପସନ୍ଦ କରାଯାଇଛି।

ଚୀନ୍‌ ଉପରେ ରୁଷ୍‌ର ନିର୍ଭରଶୀଳତା ବଢ଼ୁଥିବା ନେଇ ଚର୍ଚ୍ଚା ହେଉଛି। ରୁଷ୍‌ ଠାରୁ ଚୀନ୍‌ ଅଧିକ ମାତ୍ରାରେ ତେଲ ଓ ଗ୍ୟାସ୍‌ କ୍ରୟ କରୁଛି। ଫଳରେ ରୁଷ୍‌ର ମୁଦ୍ରାଭଣ୍ଡାର ଭଲ ସ୍ଥିତିରେ ରହିଛି। ଚୀନ୍‌ ଉପରେ ବଢ଼ୁଥିବା ନିର୍ଭରଶୀଳତାକୁ ନେଇ ରୁଷ୍‌ର କେତେକ ମହଲ ଚିନ୍ତାବ୍ୟକ୍ତ କରିଥିଲେ ମଧ୍ୟ ଅନ୍ୟ ପନ୍ଥା ନ ଥିବା ସାଂଘାଇ ବିଶ୍ବବିଦ୍ୟାଳୟର ନିର୍ଦେଶକ ଲି ଜିନ୍ ମତ ଦେଇଛନ୍ତି। ରୁଷ୍‌ ଓ ଚୀନ୍‌ ମଧ୍ୟରେ ସମ୍ପର୍କ ବେଶ୍‌ ପୁରୁଣା ହୋଇଥିବା ବେଳେ ଏହାକୁ ଅଧିକ ମଜଭୁତ୍‌ କରିବାକୁ ଉଭୟ ପକ୍ଷ ଆଗ୍ରହୀ ଅଛନ୍ତି। ଆମେରିକା ଓ ତା’ର ମିତ୍ର ରାଷ୍ଟ୍ରଙ୍କୁ ପ୍ରତିରୋଧ କରିବା ଦିଗରେ ଚୀନ୍‌ ଉପରେ ରୁଷ୍‌ ଅଧିକ ନିର୍ଭରଶୀଳ ରହୁଛି। ରୁଷ୍‌କୁ ସାମରିକ ସହାୟତା ପ୍ରଦାନ କଲେ ଚୀନ୍‌ ତାହାର କୁପରିଣାମ ଭୋଗିବ ବୋଲି ଆମେରିକା ସହ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶ ଚେତାବନୀ ଦେଇ ସାରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ନିଜ ପ୍ରାଧାନ୍ୟ ବଜାୟ ରଖିବା ସହ ଅର୍ଥନୈତିକ କ୍ଷେତ୍ରକୁ ମଜଭୁତ୍‌ କରିବା ଦିଗରେ ଚୀନ୍‌ ଉପରେ ରୁଷ୍‌ର ନିର୍ଭରଶୀଳତା ବଢ଼ିବା ସ୍ବାଭାବିକ ବୋଲି ବିଶେଷଜ୍ଞ ମହଲରେ ଚର୍ଚ୍ଚା ହେଉଛି।