ସମ୍ବଲପୁର: ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଗଣ୍ଡଗୋଳ ଘଟଣାରେ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ସମ୍ପାଦକ ସମୀର ବାବୁଙ୍କୁ ଗିରଫ କରାଯାଇଛି । ଏହା ସହିତ ଗଣ୍ଡଗୋଳ ଘଟଣାରେ ଗିରଫ ହୋଇଥିବା ଲୋକଙ୍କ ସଂଖ୍ୟା ୮୬କୁ ବୃଦ୍ଧି ପାଇଛି ।
ଅନ୍ୟପଟେ ସମ୍ବଲପୁର ହିଂସାକୁ ଆୟତ୍ତ କରିବା ଲାଗି ଆଜି ଅଷ୍ଟମଥର ପାଇଁ ପୁଣିଥରେ ୪୮ ଘଣ୍ଟା ଲାଗି ଇଣ୍ଟରନେଟ୍ କଟକଣା ଜାରି କରାଯାଇଛି । ବିଶେଷ କରି ମୋବାଇଲ ଇଣ୍ଟରନେଟ୍ ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ପାଇଁ ଏହି କଟକଣା ଲାଗୁ ରହିବ । ବ୍ରଡବ୍ୟାଣ୍ଡ, ଲିଜଲାଇନ୍ ଉପଭୋକ୍ତାଙ୍କ ଲାଗି ଆଜି ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଇଣ୍ଟରନେଟ୍ କୋହଳ କରାଯାଇଛି । ଜିଲ୍ଲା ପ୍ରଶାସନର ସଦ୍ୟ ଘୋଷଣା ଅନୁସାରେ ୨୨ ତାରିଖ ସକାଳ ୧୦ଟା ଯାଏଁ ଜିଲ୍ଲାର ସମସ୍ତ ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ ରହିବ । ସୋସିଆଲ ମିଡିଆ ଅପବ୍ୟବହାରକୁ ଆଶଙ୍କା କରି ଏହି କଟକଣା ବୃଦ୍ଧି କରାଯାଇଛି ।
