କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ଘୋଷଣା

ନୂଆଦିଲ୍ଲୀ,୧୯/୪ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ଏଥିରୁ ଦଳର ବରିଷ୍ଠ ନେତା ସଚିନ ପାଇଲଟ୍‌ଙ୍କୁ ବାଦ୍ ଦିଆଯାଇଥିବା ବେଳେ ନିକଟରେ ବିଜେପି ଛାଡି ହାତ ଧରିଥିବା ଜଗଦୀଶ ସେଟ୍ଟାରଙ୍କୁ ସାମିଲ୍ କରାଯାଇଛି। ଏହାକୁ ନେଇ ନୂତନ ବିବାଦ ଦେଖା ଦେଇଛି। ପାର୍ଟି ଜାରି କରିଥିବା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ସମେତ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏବଂ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଅଛନ୍ତି। କିନ୍ତୁ ସଚିନ ପାଇଲଟ୍‌ଙ୍କ ପରି ଚେହେରାଙ୍କୁ ତାଲିକାରୁ ବାଦ୍ ଦେବା ରାଜନୀତିକୁ ଆହୁରି ସରଗରମ କରିଛି। ଏହି ୪୫ ବର୍ଷୀୟ ନେତା ୨୦୧୮ କର୍ଣ୍ଣାଟକ ଏବଂ ୨୦୨୧ ଆସାମ ନିର୍ବାଚନରେ ଦଳର ଷ୍ଟାର ପ୍ରଚାରକ ଥିଲେ।

ଅନ୍ୟପଟେ ଜଗଦୀଶ ସେଟ୍ଟାର ଜନସଙ୍ଘର ସଦସ୍ୟ। ସେ ଛଅ ଥର ବିଜେପି ଟିକେଟ୍‌ରେ ନିର୍ବାଚନ ଜିତି ସାରିଛନ୍ତି। ତେବେ ଆସନ୍ତା ମାସରେ ହେବାକୁ ଥିବା ନିର୍ବାଚନରେ ତାଙ୍କୁ ଟିକେଟ୍ ନମିଳିବାରୁ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି। ତାଙ୍କ ସହ ବହୁ ସଂଖ୍ୟାରେ ପାର୍ଟି କର୍ମୀ କଂଗ୍ରେସରେ ସାମିଲ୍ ହୋଇଛନ୍ତି। ଗୁଜରାଟ୍ ଏବଂ ନାଗାଲାଣ୍ଡ ନିର୍ବାଚନରେ ଷ୍ଟାର ପ୍ରଚାରକରୁ ବାଦ୍ ପଡିଥିବା ଶଶି ଥରୁରଙ୍କୁ ଦଳ କର୍ଣ୍ଣାଟକ ନିର୍ବାଚନର ପ୍ରଚାରରେ ସାମିଲ୍ କରିଛି।

ତାଲିକାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ବରିଷ୍ଠ ନେତା ରାହୁଲ ଗାନ୍ଧୀ, ପି ଚିଦାମ୍ବରମ, ଜୟରାମ ରମେଶ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା ସିଦ୍ଧରମୈୟା, ଡିକେଶ ଶିବକୁମାର, ବୀରପ୍ପା ମୋଇଲି, ଏମବି ପାଟିଲ୍ ଏବଂ ସତିଶ ଜରକିହୋଲି ଆଦି ସାମିଲ୍।