ମହାକାଳପଡ଼ା, ୧୯/୮: (ଅରକ୍ଷିତ ନାଥ) – କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୨୦ ନମ୍ବର ଜୋନ୍ର ଜିଲ୍ଲାପରିଷଦ ସଭ୍ୟ ସୁବୋଧ ଲେଙ୍କାଙ୍କ ଦେହାନ୍ତ ଘଟିଛି । ସେ ଦୀର୍ଘଦିନ ଧରି ବିଭିନ୍ନ ରୋଗରେ ପୀଡ଼ିତ ଥିଲେ। ପୂର୍ବରୁ ସେ କରଞ୍ଜ ପଂଚାୟତର ସରପଞ୍ଚ ଓ ସମିତି ସଭ୍ୟ ଭାବେ ନିର୍ବାଚିତ ହେବା ସହ ୨୦ନଂ ଜୋନ ରେ ଦୁଇ ଥର ଜିଲ୍ଲାପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ ସେ ବିଜେଡି ଦଳରୁ ୨୦ ନମ୍ବର ଜୋନ୍ର ଜିଲ୍ଲାପରିଷଦ ସଭ୍ୟ ଭାବେ ପ୍ରତିନିଧିତ୍ୱ କରୁଥିଲେ।
ସୂଚନା ଅନୁଯାୟୀ, ୧୮ ଅଗଷ୍ଟ ମଙ୍ଗଳବାର ରାତି ପ୍ରାୟ ୩ଟା ସମୟରେ ପାରାଦ୍ୱୀପସ୍ଥିତ ବାସଭବନରେ ତାଙ୍କର ମୃତ୍ୟୁ ଘଟିଛି । ବୁଧବାର ତାଙ୍କ ମୃତଦେହ ପାରାଦ୍ୱୀପରୁ ନିଜ ଜନ୍ମ ମାଟି କରଞ୍ଜକୁ ଆସିବା ପରେ ଗୋବର୍ଦ୍ଧନପୁର, ଗୋଖାପଡ଼ା, ବେନୁପାଳ, ଦହିମାଛ ଆଦି ଗାଁ ପରିକ୍ରମା କରାଯାଇ ତାଙ୍କ ଗାଁ ମଶାଣିରେ ଅନ୍ତିମ ସଂସ୍କାର କରାଯାଇଛି।ତାଙ୍କ ଅନ୍ତିମ ଦର୍ଶନ ପାଇଁ ବିଭିନ୍ନ ଦଳର ନେତା ଓ ଜନପ୍ରତିନିଧିମାନେ ପହଞ୍ଚି ପୁଷ୍ପଗୁଚ୍ଛ ଅର୍ପଣ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ମହାକାଳପଡ଼ା ବିଧାୟକ ଡ଼. ଦୁର୍ଗାପ୍ରସନ ନାୟକ, ପୂର୍ବତନ ବିଧାୟକଙ୍କ ବଡ଼ଭାଇ ଶାନ୍ତନୁ ନାୟକ, ମହାକାଳପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ନମିନି ତଥା ବିଜେପି ରାଜ୍ୟ ପରିଷଦ ସଭ୍ୟ କୁମରକାନ୍ତ ମହାନ୍ତି ଏବଂ ଗୋଗୁଆ ପଂଚାୟତର ସମିତିସଭ୍ୟ ପ୍ରତାପ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ମହାକାଳପଡ଼ା ଅଞ୍ଚଳର ବିଭିନ୍ନ ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।