ଭୁବନେଶ୍ବର : ଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଗୁରୁତ୍ବପୂର୍ଣ୍ଣ ଫାଇଲ୍ ଆଇନ ବିଭାଗରେ ହଜିବା ଘଟଣାରେ ବିରୋଧୀ ରାଜ୍ୟ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି। ଫାଇଲ୍ ହଜିନି, ଲୁଚାଇକି ହଜିବାର ନାଟକ କରାଯାଉଛି ବୋଲି ବିରୋଧୀ କହିଛନ୍ତି। ଏନେଇ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର କହିଛନ୍ତି ଯେ, ଏହି ଫାଇଲ୍ ହଜନିଥିବ, ଗୁରୁତ୍ବପୂର୍ଣ୍ଣ ତଥ୍ୟ ଥିବ ବୋଧେ ସେଥିପାଇଁ ଲୁଚାଇବାକୁ ଚେଷ୍ଟା କରୁଥିବେ। ଯଦି ଫାଇଲ୍ ହଜିଛି ତେବେ ସରକାର ଏନେଇ ଥାନାରେ ଏତଲା ଦିଅନ୍ତୁ।
ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ କହିଛନ୍ତି ଯେ, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ଯେଉଁ ଦୁଇଟି ଗୁରୁତ୍ୱପୁର୍ଣ୍ଣ ଫାଇଲ ବିଭାଗରୁ ହଜିଯାଇଛି ବୋଲି ଆଇନ ବିଭାଗ କହୁଛି ବାସ୍ତବରେ ସେ ଫାଇଲ ହଜିନାହିଁ। ରାଜ୍ୟ ସରକାର ନିଜେ ସେହି ଫାଇଲକୁ ନଷ୍ଟ କରିବାର ଷଡ଼ଯନ୍ତ୍ର କରିଛନ୍ତି। ଆଗରୁ ଖଣି ଦୁର୍ନୀତି ବାବଦରେ ଏକ ଫାଇଲ ସଚିବାଳୟରୁ ହଜିଥିଲା । ବିଡିଏର ଏକ ଫାଇଲ୍ ଯାହାକୁ ଆକାଉଟାଣ୍ଟ ଜେନେରାଲ ମାଗିଥିଲେ ସେହି ଫାଇଲ୍ ନଗର ଉନ୍ନୟନ ବିଭାଗ ହଜାଇଦେଇଥିଲା। ସଚିବାଳୟରେ ସମସ୍ତଙ୍କ ଆଖି ସାମ୍ନାରେ ଥରେ ଅନେକ ଗୁରତ୍ୱପୁର୍ଣ୍ଣ ଫାଇଲ୍ ନିଆଁରେ ପୋଡ଼ିଗଲା । ଯେବେ ଯେବେ ସରକାରଙ୍କର ଦୁର୍ନୀତି ଧରା ପଡ଼ିବାର ସମ୍ଭାବନା ଆସେ ସେତେବେଳେ ସଚିବାଳୟରୁ ଫାଇଲ ହଜିଯାଏ। ରାଜ୍ୟ ସରକାର ୨୦୦୭ ମସିହାରୁ ଓସ୍ବାସ୍ ବ୍ୟବସ୍ଥା ଲାଗୁକଲେଣି। ହଜିଥିବା ଫାଇଲ୍ରୁ ଗୋଟିଏ ଫାଇଲ୍ ୨୦୧୪ ମସିହାର। ଓସ୍ବାସ୍ ବ୍ୟବସ୍ଥା ରାଜ୍ୟରେ ଥିବାବେଳେ ପୁଣି ଫାଇଲ୍ ହଜିଲା କେମିତି? ସରକାର ଡ୍ରାମା ନକରି ତୁରନ୍ତ ସ୍ପଷ୍ଟ କରନ୍ତୁ ସେହି ହଜିଥିବା ଫାଇଲରେ କ’ଣ ଥିଲା ?