ଛାତ୍ର ସଂସଦ ନିର୍ବାଚନ ପାଇଁ କାଲି ପଡ଼ିବ ଭୋଟ୍‌ ; ଆଜି ହ୍ବାଏ ଆଇ ଷ୍ଟାଣ୍ଡ୍‌ ଫର୍‌ ମିଟିଂ

ଭୁବନେଶ୍ୱର, ୧୪/୧୦ : ଛାତ୍ର ସଂସଦ ନିର୍ବାଚନ ପାଇଁ କାଲି ପଡ଼ିବ ଭୋଟ୍‌ । ଆଜି କଲେଜ ଓ ବିଶ୍ବବିଦ୍ୟାଳୟ ମାନଙ୍କରେ ଅନୁଷ୍ଠିତ ହେବ ହ୍ବାଏ ଆଇ ଷ୍ଟାଣ୍ଡ୍‌ ଫର୍‌ ମିଟିଂ। ସହପାଠୀ ମାନଙ୍କ ଗ୍ରହଣରେ ପ୍ରାର୍ଥୀ ମାନେ କାହିଁକି ନିର୍ବାଚନରେ ଭାଗ ନେଇଛନ୍ତି ଏବଂ ଜିତିବା ପରେ କଲେଜର ଉନ୍ନତି ପାଇଁ କଣ କରିବେ, ସେ ବିଷୟରେ ନିଜର ବ୍ଲୁପ୍ରିଣ୍ଟ୍‌ ଉପସ୍ଥାପନ କରିବେ। ଏହା ହେଉଛି ପ୍ରାର୍ଥୀଙ୍କ ପାଇଁ ଭୋଟରମାନଙ୍କୁ ପ୍ରଭାବିତ କରିବାର ଶେଷ ସୁଯୋଗ। ଗତ ୭ ତାରିଖରେ ଛାତ୍ର ସଂସଦ ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କ୍ୟାମ୍ପସ୍‌ ରାଜନୀତି ସରଗରମ ହୋଇଛି। ରାଜ୍ୟର ତିନି ପ୍ରମୁଖ ଛାତ୍ର ସଂଗଠନ ଏବିଭିପି, ବିସିଜେଡି ଏବଂ ଏନଏସ୍‌ୟୁଆଇ ପକ୍ଷରୁ କଲେଜ ଓ ବିଶ୍ବବିଦ୍ୟାଳୟ ମାନଙ୍କରେ ଛକାପଞ୍ଝା ସ୍ଥିତି ଦେଖିବାକୁ ମିଳିଛି। କଲେଜ ଭିତ୍ତିଭୂମିର ଉନ୍ନତିକରଣ ସହ ବିଭିନ୍ନ ପ୍ରସଙ୍ଗ ଧରି ଛାତ୍ରଛାତ୍ରୀଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାରେ ମଙ୍ଗଳବାର ଜମିଥିଲା ଶେଷ ଦିନର ପ୍ରଚାର। ଅନ୍ୟପଟେ ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ ରାଜ୍ୟର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ ରମାଦେବୀ ବିଶ୍ବବିଦ୍ୟାଳୟରେ ଦେଖିବାକୁ ମିଳିଛି ଉତ୍ତେଜନାମୂଳକ ପରିସ୍ଥିତି । ବାଲାଟ ପେପରରେ ନମ୍ବର ପରିବର୍ତ୍ତନ ନେଇ ଅଭିଯୋଗ କରିବା ସହ କ୍ୟାମ୍ପସରେ ବିସିଜେଡି ପକ୍ଷରୁ ହୋହଲ୍ଲା କରାଯାଇଛି। ରମାଦେବୀ କଲେଜର ଛାତ୍ରଛାତ୍ର ସଂସଦ ନିର୍ବାଚନରେ ହସ୍ତକ୍ଷେପ କଲେ ପରିସ୍ଥିତି ଭୟଙ୍କର ହେବ ବୋଲି ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସିତା ସାହୁ। ସେପେଟ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ମଧ୍ୟ ଥାନାର ଦ୍ବାରସ୍ଥ ହୋଇଥିବା ଦେଖିବାକୁ ମିଳିଛି।