ଭୁବନେଶ୍ୱର ୨୦/୦୪: ଗୁରୁବାର ପୁଣି ଅଗ୍ନି ଝଡ଼ କଲବଲ କରିବ ଜନଜୀବନକୁ । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ ଜିଲ୍ଲାରେ ପ୍ରଚଣ୍ଡ ତାତି ଆଶଙ୍କା ରହିଛି । ଉପକୂଳରେ ବି ନିସ୍ତାର ଆଶା ନାହିଁ । ପାଣିପାଗ ପୂର୍ବାନୁମାନ କହୁଛି, ତାତି ଖସିବ ଆସନ୍ତା ୨୧ରୁ ।
ସାରା ଓଡ଼ିଶା ଜଳୁଛି । ବୁଧବାର ବିଶ୍ୱର ପଞ୍ଚମ ଉତ୍ତପ୍ତ ସହର ବାରିପଦା ୪୪.୫ ଡିଗ୍ରୀ ତାତିରେ ଭାଜି ହୋଇଯାଇଛି । ଚଳିତ ଗ୍ରୀଷ୍ମରେ ପ୍ରଥମ ଥର ପାଇଁ ୪୪ ଡିଗ୍ରୀ ଡେଇଁ ନିଆଁ ପିଣ୍ଡୁଳା ପାଲଟିଯାଇଛି ନୂଆପଡ଼ା । ବଲାଙ୍ଗିର ସହର ମଧ୍ୟ ଏ ବର୍ଷ ପ୍ରଥମ ଥର ପାଇଁ ୪୪ ଡିଗ୍ରୀ ତାଉରେ ଛଟପଟ ହୋଇଛି ।ବୁଧବାର ରାଜ୍ୟର ୩୦ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ସେଥିରୁ ୧୧ଟି ସ୍ଥାନରେ ପାରଦ ୪୩ ଡିଗ୍ରୀ ପାର୍ କରିଛି ।
ପାଣିପାଗ ବିଭାଗର ପୂର୍ବାନୁମାନ ଗୁରୁବାର ବାରିପଦା, ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗିର, ନୂଆପଡ଼ା, ସୁନ୍ଦରଗଡ଼, ଟିଟିଲାଗଡ଼ରେ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ୍ ଛୁଇଁପାରେ । ଉପକୂଳ ତାପମାତ୍ରା ୪୦-୪୧ ଡିଗ୍ରୀ ରହିପାରେ । କଟକ ଓ ଭୁବନେଶ୍ୱର ୪୧ ଡିଗ୍ରୀ ତାତିରେ ସିଝିବେ । ଗୁରୁବାର ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ମୁଖ୍ୟତଃ ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ ।
ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ ହେଲା, ଗୁରୁବାର ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବ । ସ୍ଥାନେ ସ୍ଥାନେ ପାରଦ ଅଧ ଡିଗ୍ରୀରୁ ୧ ଡିଗ୍ରୀ ବଢ଼ିପାରେ । ୨୧ ତାରିଖରୁ ପାଗ ବଦଳିବ । ୨୧ ଅପରାହ୍ନ କିମ୍ବା ସନ୍ଧ୍ୟାରେ ବଡ଼ ଧରଣର କାଳବୈଶାଖୀ ହୋଇପାରେ ।
୨୧ ତାରିଖରେ ଆଭ୍ୟନ୍ତରୀଣ ଅଞ୍ଚଳ ତାପମାତ୍ରା ୩୯-୪୧ ଡିଗ୍ରୀ ଓ ଉପକୂଳ ଓଡ଼ିଶା ୩୭-୩୯ ଡିଗ୍ରୀ ରହିପାରେ । ୨୨ରେ ସାରା ଓଡ଼ିଶା ତାପମାତ୍ରା ୪୦ ଡିଗ୍ରୀ ତଳକୁ ଖସିଯିବା ସମ୍ଭାବନା ଅଛି । ଉପକୂଳରେ ୩୬-୩୮ ଡିଗ୍ରୀ ଓ ଆଭ୍ୟନ୍ତରୀଣରେ ୩୮-୪୦ ଡିଗ୍ରୀ ରହିପାରେ । ୨୨ ତାରିଖରେ ଦକ୍ଷିଣ ଏବଂ ଉପକୂଳ ଅଞ୍ଚଳରେ କାଳବୈଶାଖୀ ସମ୍ଭାବନା ଅଛି । ଦୁଇ ଦିନ କାଳବୈଶାଖୀଜନିତ ବର୍ଷା ଯୋଗୁ ୨୩ ଓ ୨୪ରେ ତାତିରୁ ବଡ଼ ଧରଣର ଆଶ୍ୱସ୍ତି ମିଳିବ। ସେତେବେଳେ ଉପକୂଳରେ ସର୍ବାଧିକ ତାପମାତ୍ରା ୩୫-୩୭ ଡିଗ୍ରୀ ଓ ଆଭ୍ୟନ୍ତରୀଣରେ ୩୭-୩୯ ଡିଗ୍ରୀ ପାଖାପାଖି ରହିବା ସମ୍ଭାବନା ଅଛି। ଏହା ପରେ ଚଳିତ ମାସ ଶେଷ ପର୍ଯ୍ୟନ୍ତ ତାତି ପ୍ରକୋପ ଆଉ ବିଶେଷ ବଢ଼ିବନି। ତଥାପି ୨୬ରେ ଆଭ୍ୟନ୍ତରୀଣ ଓଡ଼ିଶା ପୁଣି ୪୦-୪୧ ଓ ୨୭ ତାରିଖରେ ଉପକୂଳ ଅଞ୍ଚଳ ୩୮-୩୯ ଡିଗ୍ରୀ ଛୁଇଁପାରେ ବୋଲି ଡକ୍ଟର ସାହୁ ପୂର୍ବାନୁମାନ କରିଛନ୍ତି ।
ଖାଲି ସେତିକି ନୁହେଁ, ଉପକୂଳ ଓଡ଼ିଶାରେ ତାତି ଠାରୁ ବଳିଯାଇଥିଲା ଭୀଷଣ ଗୁଳୁଗୁଳିର ଯନ୍ତ୍ରଣା । ବାଲେଶ୍ୱର, ଭୁବନେଶ୍ୱର, କଟକ, ଚାନ୍ଦବାଲି, ଜଗତସିଂହପୁର, ଖୋର୍ଦ୍ଧାରେ ଆର୍ଦ୍ରତା ପରିମାଣ ଅଧିକ ଥିବାରୁ ଲୋକେ ନୟାନ୍ତ ହୋଇଥିଲେ । ଦିନ ଭିତରେ କୌଣସି ସ୍ଥାନରେ ବର୍ଷା ରେକର୍ଡ ହୋଇନଥିଲା ।