ୟେମେନ ରାଜଧାନୀ ସନାରେ ଦଳାଚକଟା: ୭୯ ମୃତ, ୩୨୨ରୁ ଉର୍ଦ୍ଧ୍ବ ଆହତ

ନୂଆଦିଲ୍ଲୀ: ୟେମେନର ରାଜଧାନୀ ସନାଠାରେ ବୁଧବାର (ଏପ୍ରିଲ ୧୯) ରେ ଦାନ ଦିଆଯିବା ସମୟରେ ଦଳାଚକଟା ଆରମ୍ଭ ହୋଇଥିଲା । ନ୍ୟୁଜ୍ ଏଜେନ୍ସି ଏଫପି ଅନୁଯାୟୀ ଏହି ଦଳାଚକଟାରେ ୭୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶହ ଶହ ଲୋକ ଆହତ ହୋଇଛନ୍ତି । ହୁତି ସୁରକ୍ଷା ଅଧିକାରୀ କହିଛନ୍ତି ଯେ ସନାର ବାବ ଅଲ-ୟମାନ ଜିଲ୍ଲାରେ ଦଳାଚକଟା ପରେ ଅତି କମରେ ୭୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୨୨ ରୁ ଅଧିକ ଆହତ ହୋଇଛନ୍ତି । ଆହତମାନେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ପବିତ୍ର ରମଜାନ ମାସରେ ବଣିକମାନେ ମୁସଲମାନମାନଙ୍କୁ ଆର୍ଥିକ ସହାୟତା ବଣ୍ଟନ କରିବା ପାଇଁ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି ଷ୍ଟାମ୍ପଡ ଘଟିଛି। ଏକ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଯେଉଁଠାରେ ଶହ ଶହ ଲୋକ ଏଠି ଏକାଠି ହେଇଥିଲେ। ରିପୋର୍ଟ ଅନୁଯାୟୀ, ଏଠାରେ ଥିବା ଲୋକଙ୍କୁ ୫୦୦୦ ୟେମେନ ରିୟାଲ ବଣ୍ଟନ କରାଯାଉଥିଲା ଯାହା ପ୍ରତି ବ୍ୟକ୍ତିଙ୍କ ପାଇଁ ପ୍ରାୟ ୯ ଡଲାର ଥିଲା।

ଦୁଇଜଣ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଏହି ଟଙ୍କା ନେବା ପାଇଁ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ। ଗୃହ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଏହି କାର୍ଯ୍ୟକ୍ରମକୁ ଦୁଇଜଣ ବ୍ୟବସାୟୀ ଆୟୋଜନ କରିଛନ୍ତି, ଉଭୟଙ୍କୁ ଗିରଫ କରାଯାଇଛି। ମାମଲାର ତଦନ୍ତ ଚାଲିଛି।