ଭୁବନେଶ୍ୱର,୨୮/୧୧: ଲଗାତାର ଭାବେ ତୈଳ ଦର ହ୍ରାସ ପାଇବା ପରେ ଶେଷରେ କମିଲା ବସ ଭଡା। ରାଜ୍ୟ ସରକାର ସାଧାରଣ ବସ୍ରେ କିଲୋମିଟର ପିଛା ୨ ପଇସା ହ୍ରାସ କରିଛନ୍ତି । ସେହିପରି ଏକ୍ସପ୍ରେସରେ ମଧ୍ୟ ଯାତ୍ରୀ ଭଡା ୨ ପଇସା କମ ହୋଇଛି। ଓଡିଶା ପରିବହନ କମିସନରଙ୍କ ବିଜ୍ଞପ୍ତି ଅନୁସାରେ ସାଧାରଣ ବସ ଭଡା କିଲୋମିଟର ପିଛା ୨ ପଇସା ହ୍ରାସ ପାଇ ୭୦ ପଇସାରେ ପହଞ୍ଚିଛି। ପୂର୍ବରୁ ଏହା କିମି ପିଛା ୭୨ ପଇସା ଥିଲା। ସେହିଭଳି ଏକ୍ସପ୍ରେସ ବସ ଭଡା କିଲୋମିଟର ପିଛା ୭୫ ପଇସାରୁ ହ୍ରାସ ପାଇ ୭୩ ପଇସାରେ ହୋଇଛି। ଏବଂ ଡିଲକ୍ସ ଏବଂ ଏସି ଡିଲକ୍ସ କିଲୋମିଟର ପିଛା ଯଥାକ୍ରମେ ୧୦୫ରୁ ୧୦୧ ପଇସା ଏବଂ ୧୨୭ରୁ ୧୨୩ ପଇସା ହୋଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ କି, ସମ୍ପ୍ରତି ରାଜ୍ୟରେ ପ୍ରାୟ ୧୭୦୦୦ ବେସରକାରୀ ବସ ଚଳାଚଳ କରୁଛି । ଏଥିରୁ ଅଡିନାରୀ ବସ ୮ ହଜାର ରହିଥିବା ବେଳେ ଏକ୍ସପ୍ରେସ ବସ ସଂଖ୍ୟା ପାଖାପାଖି ୬୦୦୦ ରହିଛି । ସେହିଭଳି ରାଜ୍ୟରେ ୨୦୦୦ ଡିଲକ୍ସ ବସ ଏବଂ ୧୦୦୦ ଏସି ଡିଲକ୍ସ ଚଳପ୍ରଚଳ କରୁଛି । ପ୍ରତ୍ୟେକ ଦିନ ପ୍ରାୟ ଲକ୍ଷାଧିକ ଯାତ୍ରୀ ବସରେ ବମନାଗମନ କରୁଛନ୍ତି ।