ଚମ୍ପକ ଦ୍ୱାଦଶୀରେ ମହାପ୍ରଭୁଙ୍କ ଗୁଆଲି ଯାତ୍ରା ସମ୍ପନ୍ନ, ପାଲିଙ୍କିରେ ନଗର ପରିକ୍ରମା କଲେ ଦେବ ଦମ୍ପତି

ଭୁବନେଶ୍ୱର, ୨୭/୦୬ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗୁଆଲି ନୀତି ଭକ୍ତିର ସହ ପାଳିତ ହୋଇଛି । ଗତକାଲି ନଗର ପରିକ୍ରମା କରିଛନ୍ତି ଦେବ ଦମ୍ପତି । ଶୁକ୍ରବାର ଚମ୍ପକ ଦ୍ୱାଦଶୀ ଅବସରରେ ମହାପ୍ରଭୁଙ୍କ ଗୁଆଲି ଯାତ୍ରା ସମ୍ପନ୍ନ ହୋଇଛି । ପାଲିଙ୍କିରେ ଶ୍ରୀ ମଦନମୋହନ ଓ ଶ୍ରୀଦେବୀ ନଗର ପରିକ୍ରମା କରିବାପରେ ପ୍ରଥମେ ଶ୍ରୀ ନଅର ଓ ପରେ ଜମ୍ବେଶ୍ଵର ମହାଦେବଙ୍କ ମନ୍ଦିର ପରିକ୍ରମା କରିଥିଲେ ଦେବ ଦମ୍ପତି । ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥିରେ ଚମ୍ପକ ଦ୍ଵାଦଶୀ ନୀତି ପାଳିତ ହୋଇଥାଏ । ରୁକ୍ମିଣୀ ବିବାହ ପର ଦିନ ମହାପ୍ରଭୁଙ୍କ ଗୁଆଲି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିରରେ ସକାଳ ଧୂପ ଓ ଭୋଗମଣ୍ଡପ ନୀତି ସରିବା ପରେ ଭିତରେ ଆଲଟ ଲାଗି ହୋଇ ତିନି ବାଡ଼ରେ ମହାସ୍ନାନ ଓ ନୂଆଲୁଗା ଲାଗି କରାଯାଇଥିଲା । ଘଟୁଆରୀ ଚନ୍ଦନ ଘୋର ଘର ଠାରୁ ରୂପା ପିଙ୍ଗଣରେ ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତ ଚନ୍ଦନ ବିଜେ କରାଇ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗରେ ସର୍ବାଙ୍ଗ ନୀତିରେ ଲାଗି କରିଥିଲେ ।

ଏହାପରେ ବେଶ ବଢ଼ି ମଧ୍ୟାହ୍ନ ଧୂପ ନୀତି କରାଯାଇଥିଲା । ବର କନ୍ୟା ଶ୍ରୀମଦନମୋହନ ଓ ଶ୍ରୀଦେବୀ ରତ୍ନସିଂହାସନକୁ ବିଜେ କରି ସେଠାରେ ବନ୍ଦାପନା ହୋଇଥିଲେ । ବନ୍ଦାପନା ନୀତି ସରିବା ପରେ ବର- କନ୍ୟାଙ୍କୁ ଆଜ୍ଞାମାଳ ପ୍ରଦାନ କରାଯିବା ସହ ମହାଜନ ସେବକମାନେ ବିଜେ କରାଇ ଝୁଲଣ ମଣ୍ଡପ ନିକଟରେ ରଖାଯାଇଥିବା ପାଲିଙ୍କିରେ ଅଧିଷ୍ଠିତ କରିଥିଲେ । ଶ୍ରୀନହରରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ଦିବ୍ୟସିଂହ ଦେବ ନବ ବିବାହିତ ଦେବା ଦମ୍ପତିଙ୍କୁ ସ୍ଵାଗତ କରି ବନ୍ଦାପନା କରିଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ,କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ,ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା,ଏସପି ପ୍ରତୀକ ସିଂହ ଓ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।